7ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ।
8ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ।
9ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ।
10ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।
11ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍ମୋନୀୟର ପୁତ୍ର ଯାଶ୍ବୀୟାମ୍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା।