11ଆଉ ହୂରମ୍ର ଯେଉଁ ଯେଉଁ ଜାହାଜରେ ଓଫୀରରୁ ସୁନା ଆସିଲା, ସେହି ସବୁରେ ମଧ୍ୟ ଓଫୀରରୁ ଅତି ପ୍ରଚୁର ଚନ୍ଦନ କାଷ୍ଠ ଓ ମଣି ଆସିଲା।
12ସେହି ଚନ୍ଦନ କାଷ୍ଠରେ ରାଜା ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ପାଇଁ ସ୍ତମ୍ଭ ଓ ଗାୟକମାନଙ୍କ ନିମନ୍ତେ ବୀଣା ଓ ନେବଲ ନିର୍ମାଣ କଲେ; ଏରୂପ ଚନ୍ଦନ କାଷ୍ଠ ଆଜି ପର୍ଯ୍ୟନ୍ତ କେବେ ଆସି ନାହିଁ କି ଦେଖାଯାଇ ନାହିଁ।
13ଶିବାର ରାଣୀ ଯାହା ଯାହା ମାଗିଲା, ତାହାର ମନୋବାଞ୍ଛାନୁସାରେ ଶଲୋମନ ରାଜା ତାହାସବୁ ତାହାକୁ ଦେଲେ, ତାହା ଛଡ଼ା ଶଲୋମନ ରାଜଯୋଗ୍ୟ ଦାନାନୁସାରେ ତାହାକୁ ଦେଲେ। ଏଉତ୍ତାରେ ରାଣୀ ଓ ତାହାର ଦାସମାନେ ଫେରି ଆପଣା ଦେଶକୁ ଗଲେ।
14ବର୍ଷକ ମଧ୍ୟରେ ଶଲୋମନଙ୍କ ନିକଟକୁ ଛଅ ଶହ ଛଷଠି ତାଳନ୍ତ ପରିମିତ ସୁବର୍ଣ୍ଣ ଆସେ।
15ଏହାଛଡ଼ା ପାଇକରମାନେ ଆଣିଲେ, ପୁଣି, ବଣିକମାନଙ୍କ ବ୍ୟବସାୟରୁ ଓ ମିଶ୍ରିତ ଗୋଷ୍ଠୀୟମାନଙ୍କ ସମସ୍ତ ରାଜାଠାରୁ ଓ ଦେଶାଧ୍ୟକ୍ଷମାନଙ୍କଠାରୁ ସୁବର୍ଣ୍ଣ ଆସିଲା।