3ତହିଁରେ ଯାରବୀୟାମ ଓ ଇସ୍ରାଏଲର ସମସ୍ତ ସମାଜ ରିହବୀୟାମଙ୍କ ନିକଟକୁ ଆସି ଏହି କଥା କହିଲେ,
4“ଆପଣଙ୍କ ପିତା ଆମ୍ଭମାନଙ୍କ ଯୁଆଳି ଅସହ୍ୟ କରିଥିଲେ; ଏହେତୁ ଆପଣଙ୍କ ପିତା ଆମ୍ଭମାନଙ୍କ ଉପରେ ଯେଉଁ ଅସହ୍ୟ ଦାସ୍ୟକର୍ମର ଭାର ଓ ଭାରୀ ଯୁଆଳି ଦେଇଥିଲେ, ତାହା ଆପଣ ହାଲୁକା କରନ୍ତୁ; ତହିଁରେ ଆମ୍ଭେମାନେ ଆପଣଙ୍କ ସେବା କରିବୁ।”
5ତହୁଁ ସେ ସେମାନଙ୍କୁ କହିଲେ, “ଏବେ ଯାଅ, ତିନି ଦିନ ଉତ୍ତାରେ ପୁନର୍ବାର ମୋʼ ନିକଟକୁ ଆସ।” ତହିଁରେ ଲୋକମାନେ ଚାଲିଗଲେ।
6ଏଥିଉତ୍ତାରେ ରିହବୀୟାମ ରାଜା ଆପଣା ପିତା ଶଲୋମନଙ୍କର ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ, ସେମାନଙ୍କ ସହିତ ପରାମର୍ଶ କରି କହିଲେ, “ଏହି ଲୋକମାନଙ୍କୁ ଉତ୍ତର ଦେବା ପାଇଁ ତୁମ୍ଭେମାନେ ମୋତେ କି ପରାମର୍ଶ ଦେଉଅଛ?”
7ତେବେ ସେମାନେ ତାଙ୍କୁ କହିଲେ, “ତୁମ୍ଭେ ଯେବେ ଆଜି ଏହି ଲୋକମାନଙ୍କର ସେବକ ହେବ ଓ ସେମାନଙ୍କର ସେବା କରି ସେମାନଙ୍କୁ ଉତ୍ତର ଦେବ ଓ ସେମାନଙ୍କୁ ଉତ୍ତମ ବାକ୍ୟ କହିବ, ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”