4ତହିଁରେ ସଦାପ୍ରଭୁ ମୋʼ ବିଷୟରେ ଯାହା କହିଅଛନ୍ତି, ଯଥା, ‘ଯଦି ତୁମ୍ଭ ସନ୍ତାନମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ଆମ୍ଭ ଛାମୁରେ ସତ୍ୟାଚରଣ କରିବାକୁ ଆପଣା ଆପଣା ପଥରେ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ବସିବାକୁ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ, ସେ ଆପଣାର ଏହି ବାକ୍ୟ ସଫଳ କରିବେ।’
5ଆହୁରି ସରୁୟାର ପୁତ୍ର ଯୋୟାବ ମୋʼ ପ୍ରତି ଯାହା କରିଅଛି, ପୁଣି, ଇସ୍ରାଏଲର ଦୁଇ ସେନାପତି, ନେର୍ର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସା ପ୍ରତି ଯାହା କରିଅଛି, ତାହା ତୁମ୍ଭେ ଜାଣ; ସେ ସେମାନଙ୍କୁ ବଧ କରି ସନ୍ଧି ସମୟରେ ଯୁଦ୍ଧ ସମୟର ନ୍ୟାୟ ରକ୍ତପାତ କଲା ଓ ସେହି ଯୁଦ୍ଧଯୋଗ୍ୟ ରକ୍ତ ଆପଣା କଟିସ୍ଥିତ ବନ୍ଧନୀରେ ଓ ପାଦସ୍ଥିତ ପାଦୁକାରେ ଲଗାଇଲା।
6ଏହେତୁ ତୁମ୍ଭେ ଆପଣା ଜ୍ଞାନାନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ପକ୍ୱକେଶ-ମସ୍ତକକୁ ଶାନ୍ତିରେ ପାତାଳକୁ ଯିବା ପାଇଁ ନ ଦିଅ।
7ମାତ୍ର, ଗିଲୀୟଦୀୟ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା ପ୍ରକାଶ କର, ଆଉ, ତୁମ୍ଭ ମେଜରେ ଭୋଜନକାରୀମାନଙ୍କ ମଧ୍ୟରେ ସେମାନଙ୍କୁ ସ୍ଥାନ ଦିଅ; କାରଣ, ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାଇବା ସମୟରେ ସେମାନେ ସେପରି ମୋʼ ନିକଟକୁ ଆସିଥିଲେ।
8ଆଉ ଦେଖ, ତୁମ୍ଭ ନିକଟରେ ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମୀୟି ଅଛି; ମୁଁ ମହନୟିମକୁ ଯିବା ଦିନ ସେ ମୋତେ ଦାରୁଣ ଅଭିଶାପରେ ଅଭିଶାପ ଦେଇଥିଲା, ମାତ୍ର, ସେ ଯର୍ଦ୍ଦନ ନିକଟରେ ମୋତେ ଭେଟିବାକୁ ଆସିଥିଲା ଓ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି ତାହାକୁ କହିଥିଲି, ମୁଁ ତୁମ୍ଭକୁ ଖଡ୍ଗରେ ବଧ କରିବି ନାହିଁ।