25ଆଉ ଆପଣ ଯେଉଁ ସୈନ୍ୟ ହରାଇଅଛନ୍ତି, ତାହାରି ପରି ସୈନ୍ୟ ଓ ଅଶ୍ୱ ବଦଳେ ଅଶ୍ୱ ଓ ରଥ ବଦଳେ ରଥ ସଂଗ୍ରହ କରନ୍ତୁ; ତହୁଁ ଆମ୍ଭେମାନେ ପଦାରେ ସେମାନଙ୍କ ସଙ୍ଗେ ଯୁଦ୍ଧ କରିବା, ଆଉ ନିଶ୍ଚୟ ଆମ୍ଭେମାନେ ସେମାନଙ୍କ ଅପେକ୍ଷା ଅଧିକ ବଳବାନ ହେବା।” ଏଥିରେ ରାଜା ସେମାନଙ୍କ କଥା ଶୁଣି ସେହିରୂପ କଲା।
26ଏଥିଉତ୍ତାରେ ପର ବର୍ଷ ଉପସ୍ଥିତ ହୁଅନ୍ତେ, ବିନ୍ହଦଦ୍ ଅରାମୀୟମାନଙ୍କୁ ଗଣନା କରି ଇସ୍ରାଏଲ ସଙ୍ଗେ ଯୁଦ୍ଧ କରିବା ପାଇଁ ଅଫେକକୁ ଗଲା।
27ତହିଁରେ ଇସ୍ରାଏଲ-ସନ୍ତାନଗଣ ଗଣିତ ହୋଇ ଖାଦ୍ୟ-ଦ୍ରବ୍ୟାଦି ପ୍ରସ୍ତୁତ କରି ସେମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ପୁଣି, ଇସ୍ରାଏଲ ସନ୍ତାନମାନେ ଦୁଇ କ୍ଷୁଦ୍ର ଛାଗପଲ ପରି ସେମାନଙ୍କ ସମ୍ମୁଖରେ ଛାଉଣି ସ୍ଥାପନ କଲେ; ମାତ୍ର ଅରାମୀୟ ଲୋକମାନେ ଦେଶଯାକ ବ୍ୟାପିଲେ।
28ତହିଁରେ ପରମେଶ୍ୱରଙ୍କର ଜଣେ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ଅରାମୀୟମାନେ କହିଅଛନ୍ତି, ସଦାପ୍ରଭୁ ପର୍ବତଗଣର ଦେବତା, ମାତ୍ର ତଳଭୂମିର ଦେବତା ନୁହନ୍ତି; ଏହେତୁ ଆମ୍ଭେ ଏହି ସମସ୍ତ ମହାଜନତାକୁ ତୁମ୍ଭ ହସ୍ତରେ ସମର୍ପଣ କରିବା, ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେମାନେ ଜ୍ଞାତ ହେବ।’”
29ପୁଣି, ସେମାନେ ସାତ ଦିନ ସମ୍ମୁଖାସମ୍ମୁଖୀ ହୋଇ ଛାଉଣି ସ୍ଥାପନ କରି ରହିଲେ। ତହୁଁ ସପ୍ତମ ଦିନରେ ଯୁଦ୍ଧ ସଂଘଟନ ହେଲା; ତହିଁରେ ଇସ୍ରାଏଲ-ସନ୍ତାନଗଣ ଏକ ଦିନରେ ଅରାମୀୟମାନଙ୍କର ଏକ ଲକ୍ଷ ପଦାତିକ ସୈନ୍ୟ ବଧ କଲେ।