17ତେଣୁ ଶାଉଲ ଆପଣା ସଙ୍ଗୀ ଲୋକମାନଙ୍କୁ କହିଲେ, “ଏବେ ଗଣନା କରି ଦେଖିଲ, ଆମ୍ଭମାନଙ୍କ ମଧ୍ୟରୁ କିଏ ଯାଇଅଛି?” ତହିଁରେ ସେମାନେ ଗଣନା କରନ୍ତେ, ଦେଖ, ଯୋନାଥନ ଓ ତାହାର ଅସ୍ତ୍ରବାହକ ନାହାନ୍ତି।
18ତହୁଁ ଶାଉଲ ଅହୀୟକୁ କହିଲେ, “ପରମେଶ୍ୱରଙ୍କ ସିନ୍ଦୁକ ଏଠାକୁ ଆଣ,” କାରଣ, ସେସମୟରେ ପରମେଶ୍ୱରଙ୍କ ସିନ୍ଦୁକ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ସେଠାରେ ଥିଲା।
19ପୁଣି, ଶାଉଲ ଯାଜକ ସଙ୍ଗେ କଥା କହିବା ବେଳେ ଏପରି ହେଲା ଯେ, ପଲେଷ୍ଟୀୟମାନଙ୍କ ଛାଉଣିରେ ଆହୁରି ଆହୁରି କୋଳାହଳ ବଢ଼ିବାକୁ ଲାଗିଲା; ତହିଁରେ ଶାଉଲ ଯାଜକକୁ କହିଲେ, “କର୍ମ ବନ୍ଦ କର।”
20ତହୁଁ ଶାଉଲ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ଏକତ୍ର ହୋଇ ଯୁଦ୍ଧଭୂମିକୁ ଗଲେ; ସେତେବେଳେ ଦେଖ, ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ବିରୁଦ୍ଧରେ ଉଠୁଅଛି ଓ ମହା କୋଳାହଳ ହେଉଅଛି।
21ଆହୁରି, ଯେଉଁ ଏବ୍ରୀୟମାନେ ଚାରିଆଡ଼ସ୍ଥ ଦେଶରୁ ପଲେଷ୍ଟୀୟମାନଙ୍କ ଛାଉଣିକୁ ଯାଇ ପୂର୍ବ ପରି ସେମାନଙ୍କ ସହିତ ଥିଲେ, ସେମାନେ ମଧ୍ୟ ଶାଉଲ ଓ ଯୋନାଥନ ସହିତ ଥିବା ଇସ୍ରାଏଲ ଲୋକମାନଙ୍କ ସଙ୍ଗୀ ହେବା ପାଇଁ ଫେରି ଆସିଲେ।