22ପୁଣି, ଦାଉଦ ସାମଗ୍ରୀରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟଶ୍ରେଣୀ ମଧ୍ୟକୁ ଦୌଡ଼ିଆସି ଆପଣା ଭାଇମାନଙ୍କୁ କୁଶଳବାର୍ତ୍ତା ପଚାରିଲା।
23ସେ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ଗାଥ୍ ନିବାସୀ ପଲେଷ୍ଟୀୟ ଗଲୀୟାତ ନାମକ ମଲ୍ଲଯୋଦ୍ଧା ପଲେଷ୍ଟୀୟ ସୈନ୍ୟଶ୍ରେଣୀ ମଧ୍ୟରୁ ଉଠି ଆସି ପୂର୍ବ ପରି କଥା କହିଲା; ପୁଣି, ଦାଉଦ ତାହା ଶୁଣିଲେ।
24ମାତ୍ର ଇସ୍ରାଏଲ ଲୋକ ସମସ୍ତେ ସେହି ପୁରୁଷକୁ ଦେଖି ତାହା ସମ୍ମୁଖରୁ ପଳାଇଲେ ଓ ଅତିଶୟ ଭୀତ ହେଲେ।
25ତହୁଁ ଇସ୍ରାଏଲ ଲୋକମାନେ କହିଲେ, “ଏହି ଯେ ଲୋକ ଉଠି ଆସିଅଛି, ଏହାକୁ କʼଣ ତୁମ୍ଭେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠି ଆସିଅଛି; ପୁଣି, ଏହାକୁ ଯେଉଁ ଲୋକ ବଧ କରିବ, ରାଜା ତାହାକୁ ବହୁତ ଧନରେ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ, ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ କରମୁକ୍ତ କରିବେ।”
26ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, “ଯେଉଁ ଜନ ଏହି ପଲେଷ୍ଟୀୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ, ତାହା ପ୍ରତି କʼଣ କରାଯିବ? କାରଣ, ଏହି ଅସୁନ୍ନତ ପଲେଷ୍ଟୀୟ କିଏ ଯେ, ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକୁ ତୁଚ୍ଛ କରିବ?”