39ପୁଣି, ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଚାଲିବାକୁ ଚେଷ୍ଟା କଲେ; କାରଣ ସେ ତାହା ପରଖ କରି ନ ଥିଲେ। ଆଉ ଦାଉଦ ଶାଉଲଙ୍କୁ କହିଲେ, “ମୁଁ ଏହି ବେଶରେ ଯାଇ ନ ପାରେ, କାରଣ ମୁଁ ସେସବୁ ପରଖ କରି ନାହିଁ।” ଏଣୁ ଦାଉଦ ତାହା କାଢ଼ି ରଖିଲେ।
40ପୁଣି, ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ ପାଞ୍ଚୋଟି ଚିକ୍କଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା, ସେହି ଝୁଲିରେ ତାହା ରଖିଲେ; ଆଉ ସେ ହାତରେ ଆପଣା ଛାଟିଣୀ ଧରି ସେହି ପଲେଷ୍ଟୀୟ ନିକଟକୁ ଗଲେ।
41ଏଥିରେ ପଲେଷ୍ଟୀୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲବାହକ ତାହାର ଆଗେ ଆଗେ ଚାଲିଲା।
42ତହୁଁ ପଲେଷ୍ଟୀୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର-ବଦନ ଥିଲେ।
43ପୁଣି, ସେହି ପଲେଷ୍ଟୀୟ ଦାଉଦଙ୍କୁ କହିଲା, “ମୁଁ କି କୁକ୍କୁର, ଯେ ତୁ ଯଷ୍ଟି ନେଇ ମୋʼ ପାଖକୁ ଆସିଛୁ?” ତହିଁରେ ପଲେଷ୍ଟୀୟ ଆପଣା ଦେବତାମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା।