12ଏଲିଙ୍କର ପୁତ୍ରମାନେ ଦୁଷ୍ଟ ଥିଲେ, ସେମାନେ ସଦାପ୍ରଭୁଙ୍କୁ ଜାଣିଲେ ନାହିଁ।
13ସେହି ଯାଜକମାନେ ଲୋକମାନଙ୍କ ସହିତ ଏପରି ବ୍ୟବହାର କରୁଥିଲେ ଯେ, କୌଣସି ଲୋକ ବଳିଦାନ କଲେ, ମାଂସ ସିଦ୍ଧ ହେବା ସମୟରେ ଯାଜକର ଦାସ ହସ୍ତରେ ତ୍ରିଶୂଳ ଘେନି ଆସେ;
14ଆଉ ସେ ପାତ୍ର, ବା ତସଲା, ବା ହଣ୍ଡା, ବା କହ୍ରାଇ ଭିତରେ ମାରେ; ଯେତେକ ତ୍ରିଶୂଳରେ ଆସେ, ସେସବୁ ଯାଜକ ନିଏ। ଇସ୍ରାଏଲର ଯେତେ ଲୋକ ଶୀଲୋକୁ ଆସିଲେ, ସେଠାରେ ସେମାନେ ସେସମସ୍ତଙ୍କ ପ୍ରତି ଏହିପରି କରୁଥିଲେ।
15ଆହୁରି ମେଦ ଦଗ୍ଧ କରିବା ପୂର୍ବରୁ ଯାଜକର ଦାସ ବଳିଦାନକାରୀ ଲୋକ ନିକଟକୁ ଆସି କହେ, “ଯାଜକ ପାଇଁ ମାଂସ ଦିଅ; କାରଣ ସେ ତୁମ୍ଭଠାରୁ ସିଦ୍ଧ ମାଂସ ନେବେ ନାହିଁ, କଞ୍ଚା ନେବେ।”
16ଏଥିରେ ଯେବେ ସେ ଲୋକ ତାହାକୁ କହେ, “ମେଦ ଏହିକ୍ଷଣି ଦଗ୍ଧ ହେବ, ତହିଁ ଉତ୍ତାରେ ତୁମ୍ଭ ପ୍ରାଣ ଯେତେ ଚାହେଁ ସେତେ ନିଅ;” ତେବେ ସେ ଉତ୍ତର କରେ, “ନାହିଁ, ମାତ୍ର ଏହିକ୍ଷଣି ତାହା ମୋତେ ଦେବାକୁ ହେବ; ତୁମ୍ଭେ ନ ଦେଲେ ତାହା ବଳରେ ନେବି।”