5ତହୁଁ ଦାଉଦ ଯୋନାଥନକୁ କହିଲେ, “ଦେଖ, କାଲି ଅମାବାସ୍ୟା, ପୁଣି, ରାଜାଙ୍କ ସଙ୍ଗେ ଭୋଜନରେ ବସିବା ପାଇଁ ମୋତେ ତ୍ରୁଟି କରିବାକୁ ହେବ ନାହିଁ; ମାତ୍ର ମୋତେ ଯିବାକୁ ଦିଅ, ମୁଁ ତୃତୀୟ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତ୍ରରେ ଲୁଚି ରହିବି।
6ଯେବେ ତୁମ୍ଭ ପିତା ମୋʼ ବିଷୟ କିଛି ପଚାରିବେ, ତେବେ କହିବ, ‘ଦାଉଦ ଆପଣା ନଗର ବେଥଲିହିମକୁ ଧାଇଁ ଯିବା ପାଇଁ ମୋତେ ବହୁତ କହିଲା, କାରଣ ସେସ୍ଥାନରେ ସମୁଦାୟ ପରିବାର ନିମନ୍ତେ ବାର୍ଷିକ ବଳିଦାନ ହେବ।’
7ଏଥିରେ ସେ ଯେବେ କହିବେ, ‘ଭଲ,’ ତେବେ ତୁମ୍ଭ ଦାସର କୁଶଳ ହେବ; ମାତ୍ର ସେ ଯେବେ ଅତି କ୍ରୋଧ କରନ୍ତି, ତେବେ ଜାଣ ଯେ, ତାଙ୍କ ଦ୍ୱାରା ଅମଙ୍ଗଳ ସ୍ଥିର ହୋଇଅଛି।
8ଏହେତୁ ତୁମ୍ଭେ ଆପଣାର ଦାସ ପ୍ରତି ଦୟା କର; କାରଣ ତୁମ୍ଭେ ଆପଣା ସହିତ ଆପଣା ଦାସକୁ ସଦାପ୍ରଭୁଙ୍କ ଏକ ନିୟମରେ ଆବଦ୍ଧ କରିଅଛ; ମାତ୍ର ମୋହର ଯେବେ କୌଣସି ଅପରାଧ ଥାଏ, ତେବେ ତୁମ୍ଭେ ନିଜେ ମୋତେ ବଧ କର; ତୁମ୍ଭ ପିତାଙ୍କ ନିକଟକୁ କାହିଁକି ମୋତେ ନେଇଯିବ?”
9ତହିଁରେ ଯୋନାଥନ କହିଲା, “ତାହା ତୁମ୍ଭଠାରୁ ଦୂର ହେଉ; କାରଣ ତୁମ୍ଭ ପ୍ରତି ଅମଙ୍ଗଳ ଘଟଣା ମୋʼ ପିତାଙ୍କ ଦ୍ୱାରା ସ୍ଥିର ହୋଇଥିବାର ଯେବେ ମୁଁ ଜାଣିବି, ତେବେ ମୁଁ କି ତାହା ତୁମ୍ଭକୁ କହିବି ନାହିଁ?”