23ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।”
24ତହୁଁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍କୁ ଗଲେ; ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟୋନ୍ ପ୍ରାନ୍ତରରେ ଥିଲେ।
25ଏଣୁ ଶାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ; ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ, ସେ ଶୈଳକୁ ଓହ୍ଲାଇ ଆସି ମାୟୋନ୍ ପ୍ରାନ୍ତରରେ ରହିଲେ। ଏଉତ୍ତାରେ ଶାଉଲ ତାହା ଶୁଣି ମାୟୋନ୍ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ।
26ପୁଣି, ଶାଉଲ ପର୍ବତର ଏକ ପାର୍ଶ୍ୱକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ୱକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ।
27ଏପରି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, “ଶୀଘ୍ର ଆସନ୍ତୁ; କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କଲେଣି।”