6ଏଣୁ ସେ ଆପଣା ଲୋକମାନଙ୍କୁ କହିଲେ, “ମୁଁ ଯେ ସଦାପ୍ରଭୁଙ୍କ ଅଭିଷିକ୍ତ ମୋର ପ୍ରଭୁଙ୍କ ପ୍ରତିକୂଳରେ ହାତ ଉଠାଇବି, ସଦାପ୍ରଭୁ ଏହା କରିବାକୁ ମୋତେ ନ ଦେଉନ୍ତୁ; କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।”
7ଏସବୁ କଥା ଦ୍ୱାରା ଦାଉଦ ଆପଣା ଲୋକମାନଙ୍କୁ ଦମନ କଲେ ଓ ଶାଉଲଙ୍କ ପ୍ରତିକୂଳରେ ସେମାନଙ୍କୁ ଉଠିବାକୁ ଦେଲେ ନାହିଁ। ଏଉତ୍ତାରେ ଶାଉଲ ଗୁମ୍ଫାରୁ ବାହାରି ଆପଣା ପଥରେ ଗଲେ।
8ଦାଉଦ ମଧ୍ୟ ତହିଁ ଉତ୍ତାରେ ଉଠି ଗୁମ୍ଫାରୁ ବାହାରକୁ ଗଲେ ଓ ଶାଉଲଙ୍କର ପଛେ ଡାକି କହିଲେ, “ହେ ମୋହର ପ୍ରଭୋ, ମହାରାଜ।” ତହିଁରେ ଶାଉଲ ଆପଣା ପଛକୁ ଅନାନ୍ତେ, ଦାଉଦ ଭୂମିଷ୍ଠ ହୋଇ ପ୍ରଣାମ କଲେ।
9ଆଉ ଦାଉଦ ଶାଉଲଙ୍କୁ କହିଲେ, “ଦେଖନ୍ତୁ, ଦାଉଦ ଆପଣଙ୍କର ଅନିଷ୍ଟ ଚାହୁଁଅଛି, ଲୋକମାନଙ୍କର ଏପରି କଥା ଆପଣ କାହିଁକି ଶୁଣୁଅଛନ୍ତି?”
10ଦେଖନ୍ତୁ, ଆଜି ସଦାପ୍ରଭୁ ଗୁମ୍ଫା ମଧ୍ୟରେ କିପରି ଆପଣଙ୍କୁ ମୋହର ହସ୍ତରେ ଦେଇଥିଲେ, ଏହା ଆଜି ଆପଣଙ୍କ ଚକ୍ଷୁ ଦେଖିଅଛି; ଆପଣଙ୍କୁ ବଧ କରିବା ପାଇଁ କେହି କେହି ମୋତେ କହିଥିଲେ; ମାତ୍ର ମୋର ଚକ୍ଷୁ ଆପଣଙ୍କୁ ଦୟା କଲା ଓ ମୁଁ କହିଲି, ମୁଁ ଆପଣା ପ୍ରଭୁଙ୍କ ବିରୁଦ୍ଧରେ ହାତ ଉଠାଇବି ନାହିଁ, କାରଣ ସେ ସଦାପ୍ରଭୁଙ୍କ ଅଭିଷିକ୍ତ।