10ତହିଁରେ ନାବଲ ଦାଉଦଙ୍କର ଦାସମାନଙ୍କୁ ଉତ୍ତର ଦେଇ କହିଲା, “ଦାଉଦ କିଏ? ଯିଶୀର ପୁତ୍ର କିଏ? ଆଜିକାଲି ଅନେକ ଦାସ ଅଛନ୍ତି, ଯେଉଁମାନେ ଆପଣା ଆପଣା ମୁନିବଠାରୁ ବିଗିଡ଼ି ବୁଲୁଛନ୍ତି।
11ତେବେ ମୁଁ କʼଣ ଆପଣା ରୁଟି ଓ ଆପଣା ଜଳ ଓ ଆପଣା ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁଆଡ଼ର ଅଜ୍ଞାତ ଲୋକମାନଙ୍କୁ ଦେବି?”
12ତହୁଁ ଦାଉଦଙ୍କର ଯୁବାମାନେ ଆପଣା ବାଟରେ ଫେରିଗଲେ ଓ ତାଙ୍କ ନିକଟକୁ ଆସି ସେହି ସବୁ କଥା ତାଙ୍କୁ ଜଣାଇଲେ।
13ଏଥିରେ ଦାଉଦ ଆପଣା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧ।” ତହିଁରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଖଡ୍ଗ ବାନ୍ଧିଲେ ଓ ଦାଉଦ ହିଁ ଆପଣା ଖଡ୍ଗ ବାନ୍ଧିଲେ; ତହୁଁ ଦାଉଦଙ୍କର ପଛରେ ଊଣାଧିକ ଚାରି ଶହ ଲୋକ ଗମନ କଲେ; ପୁଣି, ଦୁଇ ଶହ ଲୋକ ସାମଗ୍ରୀ ପାଖରେ ରହିଲେ।
14ଏଥିମଧ୍ୟରେ ଯୁବାମାନଙ୍କ ମଧ୍ୟରୁ ଜଣେ ନାବଲର ଭାର୍ଯ୍ୟା ଅବୀଗଲକୁ ଜଣାଇ କହିଲା, “ଦେଖ, ଦାଉଦ ଆମ୍ଭମାନଙ୍କ କର୍ତ୍ତାଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ପ୍ରାନ୍ତରରୁ ଦୂତମାନଙ୍କୁ ପଠାଇଥିଲେ, ତହିଁରେ ସେ ସେମାନଙ୍କୁ ଖାଇ ଗୋଡ଼ାଇଲେ।