35ତହୁଁ ସେ ତାଙ୍କ ପାଇଁ ଯାହା ଆଣିଥିଲା, ଦାଉଦ ତାହା ହସ୍ତରୁ ତାହା ଗ୍ରହଣ କଲେ ଓ ତାହାକୁ କହିଲେ, “କୁଶଳରେ ଆପଣା ଗୃହକୁ ଯାଅ; ଦେଖ, ମୁଁ ତୁମ୍ଭ ରବ ଶୁଣିଲି ଓ ତୁମ୍ଭକୁ ଗ୍ରାହ୍ୟ କଲି।”
36ଏଉତ୍ତାରେ ଅବୀଗଲ ନାବଲ ନିକଟକୁ ଆସିଲା, ସେତେବେଳେ ଦେଖ, ସେ ଆପଣା ଗୃହରେ ରାଜଭୋଜ ପରି ଭୋଜ କରିଥିଲା; ପୁଣି, ନାବଲ ଅତିଶୟ ମତ୍ତ ଥିବାରୁ ତାହାର ମନ ଅତି ପ୍ରଫୁଲ୍ଲ ଥିଲା; ଏହେତୁ ସକାଳ ଆଲୁଅ ପର୍ଯ୍ୟନ୍ତ ଅବୀଗଲ ତାହାକୁ ଅଳ୍ପ ବା ବହୁତ କୌଣସି କଥା ଜଣାଇଲା ନାହିଁ।
37ମାତ୍ର ପ୍ରାତଃକାଳରେ ନାବଲର ମତ୍ତତା ତୁଟନ୍ତେ, ତାହାର ଭାର୍ଯ୍ୟା ତାହାକୁ ସେହି ସବୁ କଥା ଜଣାଇଲା; ତହିଁରେ ତାହାର ହୃଦୟ ତାହା ଅନ୍ତରରେ ମରିଗଲା ଓ ସେ ପଥର ପରି ହୋଇଗଲା।
38ଏଥିଉତ୍ତାରେ ଊଣାଧିକ ଦଶ ଦିନ ଉତ୍ତାରେ ସଦାପ୍ରଭୁ ନାବଲକୁ ଆଘାତ କରନ୍ତେ, ସେ ମଲା।
39ଏଉତ୍ତାରେ ନାବଲ ମରିଅଛି, ଏହା ଦାଉଦ ଶୁଣି କହିଲେ, “ନାବଲ ହସ୍ତରୁ ମୋହର ଅପମାନଜନକ ବିବାଦର ପ୍ରତିବାଦ କଲେ ଓ ଆପଣା ଦାସକୁ ମନ୍ଦ କର୍ମରୁ ନିବୃତ୍ତ କଲେ ଯେ ସଦାପ୍ରଭୁ, ସେ ଧନ୍ୟ ହେଉନ୍ତୁ; ଆଉ ସଦାପ୍ରଭୁ ନାବଲର ମନ୍ଦ କର୍ମର ପ୍ରତିଫଳ ତାହା ମସ୍ତକରେ ବର୍ତ୍ତାଇଅଛନ୍ତି।” ଏଉତ୍ତାରେ ଦାଉଦ ଅବୀଗଲକୁ ବିବାହ କରିବା ବିଷୟ କଥାବାର୍ତ୍ତା କରିବା ପାଇଁ ତାହା ନିକଟକୁ ଲୋକ ପଠାଇଲେ।