15ଏଥିରେ ଦାଉଦ ଅବ୍ନରକୁ କହିଲେ, “ତୁମ୍ଭେ କି ଜଣେ ପୁରୁଷ ନୁହଁ? ଇସ୍ରାଏଲ ମଧ୍ୟରେ ତୁମ୍ଭ ପରି କିଏ ଅଛି? ତେବେ ତୁମ୍ଭେ କାହିଁକି ଆପଣା ପ୍ରଭୁ ରାଜାଙ୍କୁ ଜଗି ରହିଲ ନାହିଁ? କାରଣ ତୁମ୍ଭ ପ୍ରଭୁ ରାଜାଙ୍କୁ ବିନାଶ କରିବା ପାଇଁ ଲୋକମାନଙ୍କ ମଧ୍ୟରୁ ଜଣେ ଆସିଥିଲା।
16ତୁମ୍ଭେ ଏହି ଯେଉଁ କର୍ମ କଲ, ତାହା ଭଲ ନୁହେଁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେମାନେ ପ୍ରାଣଦଣ୍ଡ ଯୋଗ୍ୟ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ ଅଭିଷିକ୍ତ ତୁମ୍ଭମାନଙ୍କ ପ୍ରଭୁଙ୍କୁ ଜଗି ରହିଲ ନାହିଁ। ଏବେ ରାଜାଙ୍କ ବର୍ଚ୍ଛା ଓ ତାଙ୍କ ମସ୍ତକ ନିକଟରେ ଥିବା ଜଳପାତ୍ର କାହିଁ, ଦେଖିଲ?”
17ସେତେବେଳେ ଶାଉଲ ଦାଉଦଙ୍କର ରବ ବାରି କହିଲେ, “ହେ ମୋର ପୁତ୍ର ଦାଉଦ, ଏ କʼଣ ତୁମ୍ଭର ରବ?” ତହିଁରେ ଦାଉଦ କହିଲେ, “ମୋହର ରବ, ମୋହର ପ୍ରଭୁ, ମହାରାଜ।”
18ଆହୁରି ସେ କହିଲେ, “ମୋର ପ୍ରଭୁ ଆପଣା ଦାସ ପଛେ ପଛେ କାହିଁକି ଗୋଡ଼ାଇଅଛନ୍ତି? ମୁଁ କଅଣ କରିଅଛି? ଅବା ମୋʼ ହାତରେ କେଉଁ ମନ୍ଦତା ଅଛି?
19ଏହେତୁ ଏବେ ମୋର ପ୍ରଭୁ ମହାରାଜ ଆପଣା ଦାସ କଥା ଶୁଣନ୍ତୁ। ଯେବେ ସଦାପ୍ରଭୁ ଆପଣଙ୍କୁ ମୋର ପ୍ରତିକୂଳରେ ପ୍ରବର୍ତ୍ତାଇଥାʼନ୍ତି, ତେବେ ସେ ଉପହାର ଗ୍ରହଣ କରନ୍ତୁ; ମାତ୍ର ଯେବେ ମନୁଷ୍ୟ-ସନ୍ତାନମାନେ ତାହା କରିଥାʼନ୍ତି, ତେବେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଶାପଗ୍ରସ୍ତ ହେଉନ୍ତୁ; କାରଣ ମୁଁ ଯେପରି ସଦାପ୍ରଭୁଙ୍କ ଅଧିକାରରେ ସଂଲଗ୍ନ ହୋଇ ନ ରହିବି, ଏଥିପାଇଁ ସେମାନେ ଆଜି ମୋତେ ତଡ଼ିଦେଇ କହିଅଛନ୍ତି, ‘ଯାଅ ଅନ୍ୟ ଦେବଗଣର ସେବା କର।’