4ତହିଁରେ ଶାଉଲ ଆପଣା ଅସ୍ତ୍ରବାହକକୁ କହିଲେ, “ତୁମ୍ଭ ଖଡ୍ଗ ବାହାର କରି ତହିଁରେ ମୋତେ ଭୁସି ପକାଅ;” କେଜାଣି ଏହି ଅସୁନ୍ନତମାନେ ଆସି ମୋତେ ଭୁସି ପକାଇ କୌତୁକ କରିବେ। ମାତ୍ର ତାଙ୍କର ଅସ୍ତ୍ରବାହକ ଅତିଶୟ ଭୀତ ହେବାରୁ ସମ୍ମତ ହେଲା ନାହିଁ। ଏହେତୁ ଶାଉଲ ଖଡ୍ଗ ନେଇ ଆପେ ତହିଁ ଉପରେ ପଡ଼ିଲେ।
5ତହିଁରେ ଶାଉଲ ମରିଅଛନ୍ତି, ଏହା ଦେଖି ତାଙ୍କ ଅସ୍ତ୍ରବାହକ ସେହିପରି ଆପଣା ଖଡ୍ଗ ଉପରେ ପଡ଼ି ତାଙ୍କ ସଙ୍ଗରେ ମଲା।
6ଏହିରୂପେ ଶାଉଲ ଓ ତାଙ୍କର ତିନି ପୁତ୍ର ଓ ତାଙ୍କର ଅସ୍ତ୍ରବାହକ ଓ ତାଙ୍କର ନିଜ ଲୋକ ସମସ୍ତେ ସେହି ଦିନ ଏକସଙ୍ଗରେ ମଲେ।
7ଏଉତ୍ତାରେ ଇସ୍ରାଏଲ ଲୋକମାନେ ପଳାଇଲେ, ଆଉ ଶାଉଲ ଓ ତାଙ୍କର ପୁତ୍ରମାନେ ମଲେ, ଏହା ଦେଖି ତଳଭୂମିର ଅନ୍ୟ ପାର୍ଶ୍ୱସ୍ଥ ଓ ଯର୍ଦ୍ଦନ ସେପାରିସ୍ଥ ଇସ୍ରାଏଲ ଲୋକମାନେ ନଗର ପରିତ୍ୟାଗ କରି ପଳାଇଲେ; ତହୁଁ ପଲେଷ୍ଟୀୟମାନେ ଆସି ତହିଁ ମଧ୍ୟରେ ବାସ କଲେ।
8ଏଥିଉତ୍ତାରେ ପର ଦିବସ ପଲେଷ୍ଟୀୟମାନେ ହତ ଲୋକମାନଙ୍କ ସଜ୍ଜାଦି ଫିଟାଇ ନେବା ପାଇଁ ଆସନ୍ତେ, ସେମାନେ ଶାଉଲଙ୍କୁ ଓ ତାଙ୍କର ତିନି ପୁତ୍ରଙ୍କୁ ଗିଲ୍ବୋୟ ପର୍ବତରେ ପଡ଼ିଥିବାର ଦେଖିଲେ।