8ହାୟ ହାୟ! ଏହି ବଳବାନ ଦେବଗଣ ହସ୍ତରୁ ଆମ୍ଭମାନଙ୍କୁ କିଏ ଉଦ୍ଧାର କରିବ? ଏହି ଦେବଗଣ ପ୍ରାନ୍ତରରେ ସର୍ବପ୍ରକାର ଆଘାତ ଦ୍ୱାରା ମିସରୀୟମାନଙ୍କୁ ଆଘାତ କରିଥିଲେ।
9ହେ ପଲେଷ୍ଟୀୟମାନେ, ତୁମ୍ଭେମାନେ ବଳବାନ ହୁଅ ଓ ପୁରୁଷତ୍ୱ ପ୍ରକାଶ କର, ତହିଁରେ ଏବ୍ରୀୟମାନେ ଯେପରି ତୁମ୍ଭମାନଙ୍କର ଦାସ ହୋଇଅଛନ୍ତି, ସେପରି ତୁମ୍ଭେମାନେ ସେମାନଙ୍କର ଦାସ ହେବ ନାହିଁ; ତୁମ୍ଭେମାନେ ପୁରୁଷତ୍ୱ ପ୍ରକାଶ କର ଓ ଯୁଦ୍ଧ କର।”
10ତହିଁରେ ପଲେଷ୍ଟୀୟମାନେ ଯୁଦ୍ଧ କଲେ ଓ ଇସ୍ରାଏଲ ପରାସ୍ତ ହୋଇ ପ୍ରତ୍ୟେକେ ଆପଣା ଆପଣା ତମ୍ବୁକୁ ପଳାଇଲେ; ସେତେବେଳେ ଅତି ମହାସଂହାର ହେଲା; କାରଣ ଇସ୍ରାଏଲ ମଧ୍ୟରୁ ତିରିଶ ହଜାର ପଦାତିକ ମାରା ପଡ଼ିଲେ।
11ପୁଣି, ପରମେଶ୍ୱରଙ୍କ ସିନ୍ଦୁକ ଧରାପଡ଼ିଲା; ଆଉ ଏଲିଙ୍କର ଦୁଇ ପୁତ୍ର ହଫ୍ନି ଓ ପୀନହସ୍ ହତ ହେଲେ।
12ପୁଣି, ସୈନ୍ୟ ମଧ୍ୟରୁ ବିନ୍ୟାମୀନୀୟ ଜଣେ ଲୋକ ଦୌଡ଼ିଲା, ପୁଣି, ସେ ଆପଣା ବସ୍ତ୍ର ଚିରି ମସ୍ତକରେ ମାଟି ଦେଇ ସେହି ଦିନ ଶୀଲୋରେ ଉପସ୍ଥିତ ହେଲା।