3ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, “ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।”
4ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ।
5ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।”
6ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।
7ଏଥିମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପାରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ।