6ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ।
7ଏଥିମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପାରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ।
8ପୁଣି, ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ।”
9ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ।
10ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘ ଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ।