5ପୁଣି, ସେମାନେ ତାଙ୍କୁ କହିଲେ, “ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି, ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁ ନାହାନ୍ତି; ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମ୍ଭମାନଙ୍କର ବିଚାର କରିବାକୁ ତୁମ୍ଭେ ଆମ୍ଭମାନଙ୍କ ପାଇଁ ଏକ ରାଜା ନିଯୁକ୍ତ କର।”
6ମାତ୍ର ଆମ୍ଭମାନଙ୍କର ବିଚାର କରିବା ପାଇଁ ଆମ୍ଭମାନଙ୍କୁ ଏକ ରାଜା ଦିଅ, ସେମାନେ ଏହି କଥା କହିବା ବେଳେ ଶାମୁୟେଲଙ୍କର ଦୃଷ୍ଟିରେ ତାହା ମନ୍ଦ ବୋଧ ହେଲା। ଏଥିରେ ଶାମୁୟେଲ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ।
7ସେତେବେଳେ ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା ଯାହା କହନ୍ତି, ସେହି ସବୁ ରବରେ କର୍ଣ୍ଣପାତ କର; କାରଣ ସେମାନେ କେବଳ ତୁମ୍ଭକୁ ଅଗ୍ରାହ୍ୟ କରି ନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନୋହିବା, ଏଥିପାଇଁ ସେମାନେ ଆମ୍ଭକୁ ଅଗ୍ରାହ୍ୟ କରିଅଛନ୍ତି।
8ଆମ୍ଭେ ସେମାନଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆଜି ପର୍ଯ୍ୟନ୍ତ ସେମାନେ ଆମ୍ଭକୁ ପରିତ୍ୟାଗ କରି ଅନ୍ୟ ଦେବଗଣର ସେବା କରି ଯେସମସ୍ତ କର୍ମ କରିଅଛନ୍ତି, ତଦନୁସାରେ ସେମାନେ ତୁମ୍ଭ ପ୍ରତି ମଧ୍ୟ କରୁଅଛନ୍ତି।
9ଏହେତୁ ଏବେ ସେମାନଙ୍କ ରବରେ କର୍ଣ୍ଣପାତ କର; ତଥାପି ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ସ୍ପଷ୍ଟ ସାକ୍ଷ୍ୟ ଦିଅ ଓ ସେମାନଙ୍କ ଉପରେ ଯେ ରାଜତ୍ୱ କରିବେ, ସେହି ରାଜାର ବିଧି ସେମାନଙ୍କୁ ଜଣାଅ।”