13ସେ ଭୋଜନ କରିବା ପାଇଁ ଉଚ୍ଚସ୍ଥଳୀକି ଯିବା ପୂର୍ବେ ତୁମ୍ଭେମାନେ ନଗରରେ ପହଞ୍ଚିଲେ, ସେହିକ୍ଷଣି ତାଙ୍କୁ ଦେଖିବ; କାରଣ, ସେ ନ ଆସିବା ଯାଏ ଲୋକମାନେ ଭୋଜନ କରିବେ ନାହିଁ, ଯେହେତୁ ସେ ବଳିକୁ ଆଶୀର୍ବାଦ କଲା ଉତ୍ତାରେ ନିମନ୍ତ୍ରିତ ଲୋକମାନେ ଭୋଜନ କରନ୍ତି। ଏଣୁ ତୁମ୍ଭେମାନେ ଏହିକ୍ଷଣି ଉଠିଯାଅ, ଏତେବେଳେ ତୁମ୍ଭେମାନେ ତାଙ୍କୁ ପାଇବ।”
14ତହୁଁ ସେମାନେ ନଗରକୁ ଉଠିଗଲେ; ନଗର ମଧ୍ୟରେ ଉପସ୍ଥିତ ହେବା ମାତ୍ରେ, ଦେଖ, ଉଚ୍ଚସ୍ଥଳୀକି ଯିବା ପାଇଁ ଶାମୁୟେଲ ବାହାରି ଆସି ସେମାନଙ୍କ ନିକଟରେ ଉପସ୍ଥିତ ହେଲେ।
15ଶାଉଲ ଆସିବାର ଦିନକ ପୂର୍ବେ ସଦାପ୍ରଭୁ ଶାମୁୟେଲଙ୍କ କର୍ଣ୍ଣରେ ଏହି କଥା କହିଥିଲେ,
16“କାଲି ପ୍ରାୟ ଏହି ସମୟରେ ଆମ୍ଭେ ବିନ୍ୟାମୀନ୍ ପ୍ରଦେଶରୁ ତୁମ୍ଭ ନିକଟକୁ ଜଣେ ଲୋକ ପଠାଇବା, ଆଉ ତୁମ୍ଭେ ତାହାକୁ ଆମ୍ଭ ଇସ୍ରାଏଲ ଲୋକଙ୍କ ଉପରେ ରାଜା କରି ଅଭିଷିକ୍ତ କରିବ ଓ ସେ ଆମ୍ଭ ଲୋକମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ଉଦ୍ଧାର କରିବ; କାରଣ ଆମ୍ଭ ଲୋକମାନଙ୍କ କ୍ରନ୍ଦନ ଆମ୍ଭ କର୍ଣ୍ଣଗୋଚର ହେବାରୁ ଆମ୍ଭେ ସେମାନଙ୍କ ପ୍ରତି ଦୃଷ୍ଟିପାତ କଲୁ।”
17ଏଥିରେ ଶାମୁୟେଲ ଶାଉଲଙ୍କୁ ଦେଖନ୍ତେ, ସଦାପ୍ରଭୁ ତାଙ୍କୁ କହିଲେ, “ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିଥିଲୁ, ସେହି ବ୍ୟକ୍ତିକୁ ଦେଖ! ସେ ଆମ୍ଭ ଲୋକମାନଙ୍କ ଉପରେ ଶାସନ କରିବ।”