17ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମ୍ଭମାନଙ୍କର ଆବଶ୍ୟକ ହେବ ନାହଁ; ହେ ଯିହୁଦା ଓ ଯିରୂଶାଲମ, ଆପଣାମାନଙ୍କୁ ସଜାଅ, ତୁମ୍ଭେମାନେ ସୁସ୍ଥିର ହୁଅ ଓ ତୁମ୍ଭମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ, ତାହା ଦେଖ;’ ଭୟ କର ନାହିଁ, କି ନିରାଶ ହୁଅ ନାହିଁ; କାଲି ସେମାନଙ୍କ ପ୍ରତିକୂଳରେ ଯାଅ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛନ୍ତି।”
18ତହିଁରେ ଯିହୋଶାଫଟ୍ ମସ୍ତକ ନତ କରି ଭୂମିଷ୍ଠ ହେଲେ; ଆଉ ସମସ୍ତ ଯିହୁଦା ଓ ଯିରୂଶାଲମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ।
19ପୁଣି କହାତୀୟ-ସନ୍ତାନଗଣର ଓ କୋରହ-ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ।
20ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରିଗଲେ; ଆଉ, ସେମାନେ ଯିବା ସମୟରେ ଯିହୋଶାଫଟ୍ ଠିଆ ହୋଇ କହିଲେ, “ହେ ଯିହୁଦା, ହେ ଯିରୂଶାଲମ ନିବାସୀଗଣ, ମୋʼ କଥା ଶୁଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ ତାହାଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ।”
21ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି “ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।”