17ମଧ୍ୟ ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ନିନ୍ଦା କରିବାକୁ ଓ ତାହାଙ୍କ ବିରୁଦ୍ଧରେ କଥା କହିବାକୁ ଏହିପରି ପତ୍ରମାନ ଲେଖିଲା, ଯଥା, “ନାନା ଦେଶୀୟ ଲୋକମାନଙ୍କ ଦେବଗଣ ଯେପରି ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରି ନାହାନ୍ତି, ସେପରି ହିଜକୀୟର ପରମେଶ୍ୱର ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବେ ନାହିଁ।”
18ଆଉ, ଯିରୂଶାଲମର ଯେଉଁ ଲୋକମାନେ ପ୍ରାଚୀର ଉପରେ ଥିଲେ, ସେମାନଙ୍କୁ ଭୟାର୍ତ୍ତ ଓ ବ୍ୟାକୁଳ କରି ନଗର ହସ୍ତଗତ କରିବା ପାଇଁ ସେମାନେ ଯିହୁଦୀୟ ଭାଷାରେ ଉଚ୍ଚସ୍ୱରରେ ଡାକି କହିଲେ।
19ଆଉ, ପୃଥିବୀସ୍ଥ ନାନା ଗୋଷ୍ଠୀୟମାନଙ୍କର ମନୁଷ୍ୟ ହସ୍ତକୃତ ଦେବଗଣ ବିରୁଦ୍ଧରେ କଥା କହିବା ତୁଲ୍ୟ ସେମାନେ ଯିରୂଶାଲମର ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହିଲେ।
20ଏଥିରେ ହିଜକୀୟ ରାଜା ଓ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତା ଏସକାଶୁ ପ୍ରାର୍ଥନା କରି ସ୍ୱର୍ଗ ଆଡ଼େ ଡାକ ପକାଇଲେ।
21ତହିଁରେ ସଦାପ୍ରଭୁ ଏକ ଦୂତ ପ୍ରେରଣ କରି ଅଶୂର ରାଜାର ଛାଉଣି ମଧ୍ୟରେ ମହାବିକ୍ରମଶାଳୀ ଲୋକ ସମସ୍ତଙ୍କୁ, ଆଉ ପ୍ରଧାନ ଓ ସେନାପତିମାନଙ୍କୁ ଉଚ୍ଛିନ୍ନ କଲେ। ତହିଁରେ ସେ ଲଜ୍ଜିତମୁଖ ହୋଇ ଆପଣା ଦେଶକୁ ଫେରିଗଲା। ତହିଁ ଉତ୍ତାରେ ସେ ଆପଣା ଦେବ ମନ୍ଦିରକୁ ଆସନ୍ତେ, ତାହାର କେତେକ ଔରସଜାତ ସେଠାରେ ତାହାକୁ ଖଡ୍ଗରେ ବଧ କଲେ।