15ଆଉ, ସେ ଅନ୍ୟ ଦେବଗଣକୁ ଓ ସଦାପ୍ରଭୁଙ୍କ ଗୃହସ୍ଥିତ ପ୍ରତିମାକୁ ଦୂର କଲେ ଓ ସେ ସଦାପ୍ରଭୁଙ୍କ ଗୃହର ପର୍ବତରେ ଓ ଯିରୂଶାଲମରେ ଆପଣାର ନିର୍ମିତ ସମସ୍ତ ଯଜ୍ଞବେଦି ନଗରର ବାହାରେ ପକାଇଦେଲେ।
16ପୁଣି, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ନିର୍ମାଣ କରି ତହିଁ ପରେ ମଙ୍ଗଳାର୍ଥକ ଓ ପ୍ରଶଂସାର୍ଥକ ବଳି ଉତ୍ସର୍ଗ କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସେବା କରିବା ପାଇଁ ଯିହୁଦାକୁ ଆଜ୍ଞା କଲେ।
17ତଥାପି ଲୋକମାନେ ଉଚ୍ଚସ୍ଥଳୀରେ ବଳିଦାନ କଲେ, ମାତ୍ର ତାହା କେବଳ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ କଲେ।
18ଏହି ମନଃଶିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ଆପଣା ପରମେଶ୍ୱରଙ୍କ ନିକଟରେ ତାଙ୍କର ପ୍ରାର୍ଥନା ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ତାଙ୍କ ପ୍ରତି ଉକ୍ତ ଦର୍ଶକମାନଙ୍କ ବାକ୍ୟ, ଏହିସବୁ ଇସ୍ରାଏଲର ରାଜାମାନଙ୍କ ଇତିହାସରେ ଲିଖିତ ଅଛି।
19ମଧ୍ୟ ତାଙ୍କର ପ୍ରାର୍ଥନା ଓ ପରମେଶ୍ୱର ତାଙ୍କ ପ୍ରତି କିପରି ପ୍ରସନ୍ନ ହେଲେ ଓ ତାଙ୍କର ସକଳ ପାପ ଓ ସତ୍ୟ-ଲଙ୍ଘନ ଓ ସେ ଆପଣାକୁ ନମ୍ର କରିବା ପୂର୍ବେ ଯେଉଁ ଯେଉଁ ସ୍ଥାନରେ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଆଉ ଆଶେରା ମୂର୍ତ୍ତି ଓ ଖୋଦିତ ପ୍ରତିମା ସ୍ଥାପନ କରିଥିଲେ; ଦେଖ, ତାହାସବୁ ହୋଶେୟର ପୁସ୍ତକରେ ଲିଖିତ ଅଛି।