6ମଧ୍ୟ ସେ ହିନ୍ନୋମ ପୁତ୍ରର ଉପତ୍ୟକାରେ ଆପଣା ସନ୍ତାନସନ୍ତତିମାନଙ୍କୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ; ଆଉ, ସେ ଶୁଭାଶୁଭ କହିବାର ବିଦ୍ୟା ଓ ଗଣକତା ବ୍ୟବହାର କଲେ ଓ ମାୟାକର୍ମ କଲେ, ପୁଣି ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ବ୍ୟବହାର କଲେ; ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।
7ଆଉ, ସେ ଆପଣା ନିର୍ମିତ ଦେବତାର ଖୋଦିତ ପ୍ରତିମା ପରମେଶ୍ୱରଙ୍କ ଗୃହରେ ସ୍ଥାପନ କଲେ; ସେହି ଗୃହ ବିଷୟରେ ପରମେଶ୍ୱର ଦାଉଦଙ୍କୁ ଓ ତାଙ୍କ ପୁତ୍ର ଶଲୋମନଙ୍କୁ କହିଥିଲେ, “ଏହି ଗୃହରେ ଓ ଇସ୍ରାଏଲର ସମୁଦାୟ ଗୋଷ୍ଠୀ ମଧ୍ୟରୁ ଆମ୍ଭର ମନୋନୀତ ଯିରୂଶାଲମରେ ଆମ୍ଭେ ଆପଣା ନାମ ସଦାକାଳ ସ୍ଥାପନ କରିବା;
8ପୁଣି, ଆମ୍ଭେ ସେମାନଙ୍କୁ ଯେସମସ୍ତ ଆଜ୍ଞା ଦେଇଅଛୁ, ଅର୍ଥାତ୍, ମୋଶାର ହସ୍ତ ଦ୍ୱାରା ଯେସମସ୍ତ ବ୍ୟବସ୍ଥା, ବିଧି ଓ ବିଧାନ ଦେଇଅଛୁ, କେବଳ ତଦନୁସାରେ କର୍ମ କରିବା ପାଇଁ ଯେବେ ସେମାନେ ମନୋଯୋଗୀ ହେବେ, ତେବେ ଆମ୍ଭେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିମନ୍ତେ ଯେଉଁ ଦେଶ ନିରୂପଣ କରିଅଛୁ, ତହିଁରୁ ଇସ୍ରାଏଲର ପାଦକୁ ଆଉ ସ୍ଥାନାନ୍ତରିତ କରିବା ନାହିଁ।”
9ମାତ୍ର ମନଃଶି ଯିହୁଦା ଓ ଯିରୂଶାଲମ ନିବାସୀମାନଙ୍କୁ ବିପଥଗାମୀ କରାଇଲେ, ତହିଁରେ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଦେଶୀୟମାନଙ୍କୁ ବିନାଶ କରିଥିଲେ, ସେମାନଙ୍କ କ୍ରିୟା ଅପେକ୍ଷା ସେମାନେ ଅଧିକ କୁକ୍ରିୟା କଲେ।
10ତହୁଁ ସଦାପ୍ରଭୁ ମନଃଶି ଓ ତାଙ୍କର ଲୋକମାନଙ୍କୁ ନାନା କଥା କହିଲେ, ମାତ୍ର ସେମାନେ କିଛି ମନୋଯୋଗ କଲେ ନାହିଁ।