1ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
2ମାତ୍ର ମୁଁ ତୁମ୍ଭ ପାଇଁ ଏକ ବାସଗୃହ ଓ ତୁମ୍ଭର ସଦାକାଳ ବାସ ନିମନ୍ତେ ଏକ ସ୍ଥାନ ପ୍ରସ୍ତୁତ କରିଅଛି।”
3ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ; ପୁଣି ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ।
4ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ସେ ଆପଣା ମୁଖରେ ମୋʼ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,
5‘ଆମ୍ଭେ ଆପଣା ଲୋକମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ଦିନଠାରୁ ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; କିଅବା ଆମ୍ଭ ଲୋକ ଇସ୍ରାଏଲର ଅଗ୍ରଣୀ ହେବା ପାଇଁ କୌଣସି ଲୋକ ମନୋନୀତ କରି ନାହୁଁ;