36ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି (କାରଣ ଏପରି କୌଣସି ମନୁଷ୍ୟ ନାହିଁ ଯେ ପାପ କରେ ନାହିଁ), ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁର ହସ୍ତରେ ସମର୍ପଣ କଲେ, ଯେବେ ସେମାନେ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ କିମ୍ବା ନିକଟସ୍ଥ ଦେଶକୁ ନେଇଯାʼନ୍ତି;
37ତଥାପି ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ପୁନର୍ବାର ଫେରନ୍ତି ଓ ଆପଣାମାନଙ୍କ ବନ୍ଦୀତ୍ୱ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ‘ଆମ୍ଭେମାନେ ପାପ କରିଅଛୁ ଓ ବିପଥଗାମୀ ଓ ଦୁଷ୍ଟପଣ କରିଅଛୁ;’
38ଶତ୍ରୁଗଣ ସେମାନଙ୍କୁ ଯେଉଁ ଦେଶକୁ ବନ୍ଦୀ କରି ନେଇ ଯାଇଅଛନ୍ତି, ଆପଣାମାନଙ୍କର ସେହି ବନ୍ଦୀତ୍ୱ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ, ପୁଣି ତୁମ୍ଭ ମନୋନୀତ ନଗର ଓ ତୁମ୍ଭ ନାମ ନିମନ୍ତେ ଆମ୍ଭର ନିର୍ମିତ ଗୃହ ଆଡ଼େ ମୁଖ କରି ପ୍ରାର୍ଥନା କରନ୍ତି;
39ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରୁ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କର ବିଚାର ନିଷ୍ପତ୍ତି କର; ଆଉ ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ କ୍ଷମା କର।
40ଏବେ, ହେ ମୋହର ପରମେଶ୍ୱର, ମୁଁ ବିନୟ କରୁଅଛି, ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ତୁମ୍ଭର ଚକ୍ଷୁ ମୁକ୍ତ ଓ ତୁମ୍ଭର କର୍ଣ୍ଣ ନିବିଷ୍ଟ ଥାଉ।