2ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା।
3ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ, “ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।”
4ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
5ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ। ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ।
6ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସା ଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହି ସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ।