19କାରଣ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ, ଯେ ଆମ୍ଭମାନଙ୍କ ଦ୍ୱାରା, ଅର୍ଥାତ୍, ମୋʼ ଦ୍ୱାରା ଏବଂ ସିଲ୍ୱାନ ଓ ତୀମଥିଙ୍କ ଦ୍ୱାରା ତୁମ୍ଭମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ସେ ହଁ ଓ ନା ହୋଇ ନାହାନ୍ତି, ବରଂ ତାହାଙ୍କଠାରେ ହଁ ହୋଇଅଛି।
20ଯେଣୁ ଈଶ୍ବରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର ହଁ ତାହାଙ୍କଠାରେ ଅଛି; ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ବରଙ୍କ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍ କହିଥାଉ।
21ପୁଣି, ଯେ ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି, ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି, ସେ ଈଶ୍ବର;
22ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି।
23କିନ୍ତୁ ମୁଁ ଈଶ୍ବରଙ୍କୁ ସାକ୍ଷୀ ମାନି ମୋʼ ପ୍ରାଣର ଶପଥ କରୁଅଛି ଯେ, ତୁମ୍ଭମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥ ସହରକୁ ପୁନର୍ବାର ଯାଇ ନାହିଁ।