15ଏଥିଉତ୍ତାରେ ଯେହୂ ସେଠାରୁ ପ୍ରସ୍ଥାନ କରନ୍ତେ, ଆପଣା ସମ୍ମୁଖରେ ଆଗମନକାରୀ ରେଖବର ପୁତ୍ର ଯିହୋନାଦବ୍କୁ ଭେଟିଲେ। ସେ ତାହାକୁ ମଙ୍ଗଳବାଦ କରି ପଚାରିଲେ, “ଯେପରି ତୁମ୍ଭ ପ୍ରତି ମୋʼ ମନ ସରଳ, ସେପରି ତୁମ୍ଭ ମନ କି ମୋʼ ପ୍ରତି ଅଛି?” ଏଥିରେ ଯିହୋନାଦବ୍ ଉତ୍ତର କଲା, “ହଁ, ଅଛି।” “ତାହାହେଲେ ମୋତେ ତୁମ୍ଭ ହସ୍ତ ଦିଅ।” ତହୁଁ ଯିହୋନାଦବ୍ ତାଙ୍କୁ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାକୁ ଆପଣା ନିକଟକୁ ରଥ ଉପରକୁ ନେଲେ।
16ପୁଣି ଯେହୂ କହିଲେ, “ମୋʼ ସଙ୍ଗେ ଆସ, ସଦାପ୍ରଭୁଙ୍କ ନିମନ୍ତେ ମୋହର ଉଦ୍ଯୋଗ ଦେଖ।” ଏହିରୂପେ ସେମାନେ ତାହାକୁ ତାଙ୍କ ରଥରେ ଚଢ଼ାଇଲେ।
17ଏଥିଉତ୍ତାରେ ଯେହୂ ଶମରୀୟାରେ ଉପସ୍ଥିତ ହୁଅନ୍ତେ, ସଦାପ୍ରଭୁ ଏଲୀୟଙ୍କୁ ଯାହା କହିଥିଲେ, ସେହି ବାକ୍ୟାନୁସାରେ ଯେହୂ ଆହାବଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଶମରୀୟାସ୍ଥ ତାଙ୍କର ଅବଶିଷ୍ଟ ସମସ୍ତଙ୍କୁ ବଧ କଲେ।
18ପୁଣି ଯେହୂ ସମଗ୍ର ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ବହୁତ ସେବା କରିବ।
19ଏହେତୁ ଏବେ ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଓ ତାହାର ପୂଜକ ସମସ୍ତଙ୍କୁ ଓ ତାହାର ଯାଜକ ସମସ୍ତଙ୍କୁ ମୋʼ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହନ୍ତୁ; କାରଣ ବାଲ୍ ଉଦ୍ଦେଶ୍ୟରେ ମୋହର ଏକ ବଡ଼ ଯଜ୍ଞ କରିବାର ଅଛି; ଯେକେହି ଅନୁପସ୍ଥିତ ହେବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍ର ପୂଜକମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଏହା ଛଳ ଭାବରେ କଲେ।