29ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ଆସି ଇୟୋନ୍ ଓ ଆବେଲ୍-ବେଥ୍-ମାଖା ଓ ଯାନୋହ ଓ କେଦଶ ଓ ହାସୋର ଓ ଗିଲୀୟଦ ଓ ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ହସ୍ତଗତ କଲା; ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।
30ଏଥିଉତ୍ତାରେ ଏଲାଙ୍କର ପୁତ୍ର ହୋଶେୟ ରମଲୀୟଙ୍କର ପୁତ୍ର ପେକହଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ, ପୁଣି ଉଷୀୟଙ୍କର ପୁତ୍ର ଯୋଥମ୍ଙ୍କ ରାଜତ୍ଵର କୋଡ଼ିଏ ବର୍ଷରେ ସେ ପେକହଙ୍କ ପଦରେ ରାଜ୍ୟ କଲେ।
31ଏହି ପେକହଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଇସ୍ରାଏଲର ରାଜାମାନଙ୍କର ଇତିହାସ ପୁସ୍ତକରେ ଲିଖିତ ଅଛି।
32ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ଦ୍ୱିତୀୟ ବର୍ଷରେ ଯିହୁଦାର ରାଜା ଉଷୀୟଙ୍କର ପୁତ୍ର ଯୋଥମ୍ ରାଜତ୍ୱ କରିବାକୁ ଆରମ୍ଭ କଲେ।
33ସେ ରାଜତ୍ୱ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ। ଆଉ ତାଙ୍କ ମାତାଙ୍କର ନାମ ଯିରୁଶା, ସେ ସାଦୋକର କନ୍ୟା ଥିଲେ।