9ତହିଁରେ ଯିଶାଇୟ କହିଲେ, “ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ; ଛାୟା କି ଆଗକୁ ଦଶ ପାହୁଣ୍ଡ ଯିବ, ଅବା ପଛକୁ ଦଶ ପାହୁଣ୍ଡ ଯିବ।”
10ତହିଁରେ ହିଜକୀୟ ଉତ୍ତର କଲେ, “ଛାୟା ଆଗକୁ ଦଶ ପାହୁଣ୍ଡ ଯିବାର କ୍ଷୁଦ୍ର ବିଷୟ; ନା; ମାତ୍ର ଛାୟା ପଛକୁ ଦଶ ପାହୁଣ୍ଡ ଫେରିଯାଉ।”
11ତହୁଁ ଯିଶାଇୟ ଭବିଷ୍ୟଦ୍ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ। ଏଥିରେ ଆହସ୍ଙ୍କର ସୂର୍ଯ୍ୟ ଘଟିକାରେ ଛାୟା ଯେଉଁ ଦଶ ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ।
12ସେହି ସମୟରେ ବଲ୍ଦନ୍ର ପୁତ୍ର ବରୋଦକ୍ ବଲ୍ଦନ୍ ନାମକ ବାବିଲର ରାଜା ହିଜକୀୟଙ୍କ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ସେ ହିଜକୀୟଙ୍କ ପୀଡ଼ିତ ହେବାର କଥା ଶୁଣିଥିଲା।
13ତହିଁରେ ହିଜକୀୟ ସେମାନଙ୍କ କଥା ଶୁଣିଲେ ଓ ଆପଣା ବହୁମୂଲ୍ୟ ପଦାର୍ଥର ସମୁଦାୟ ଗୃହ, ରୂପା ଓ ସୁନା ଓ ସୁଗନ୍ଧି ଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଅସ୍ତ୍ରାଗାର ଓ ଆପଣା ଭଣ୍ଡାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲେ, ଏପରି କୌଣସି ଦ୍ରବ୍ୟ ତାଙ୍କ ଗୃହରେ କି ତାଙ୍କର ସମୁଦାୟ ରାଜ୍ୟରେ ନ ଥିଲା।