2ପୁଣି ସଦାପ୍ରଭୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଦୂର କରି ଦେଇଥିଲେ, ସେମାନଙ୍କର ଘୃଣାଯୋଗ୍ୟ କ୍ରିୟାନୁସାରେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ।
3କାରଣ ତାଙ୍କର ପିତା ହିଜକୀୟ ଯେଉଁ ଉଚ୍ଚସ୍ଥଳୀମାନ ବିନାଶ କରିଥିଲେ, ସେ ପୁନର୍ବାର ତାହାସବୁ ନିର୍ମାଣ କଲେ ଓ ଇସ୍ରାଏଲର ରାଜା ଆହାବ ଯେପରି କରିଥିଲେ, ସେପରି ସେ ବାଲ୍ ନିମନ୍ତେ ଯଜ୍ଞବେଦିମାନ ପ୍ରସ୍ତୁତ କଲେ, ଓ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଓ ଆକାଶସ୍ଥ ବାହିନୀ ସକଳକୁ ପୂଜା କରି ସେମାନଙ୍କର ସେବା କଲେ।
4“ପୁଣି ଆମ୍ଭେ ଯିରୂଶାଲମରେ ଆପଣା ନାମ ସ୍ଥାପନ କରିବା” ବୋଲି ସଦାପ୍ରଭୁ ଯେଉଁ ଗୃହ ବିଷୟରେ କହିଥିଲେ, ସଦାପ୍ରଭୁଙ୍କ ସେହି ଗୃହରେ ସେ ଯଜ୍ଞବେଦିମାନ ନିର୍ମାଣ କଲେ।
5ଆହୁରି ସେ ସଦାପ୍ରଭୁଙ୍କ ଗୃହର ଦୁଇ ପ୍ରାଙ୍ଗଣରେ ଆକାଶସ୍ଥ ବାହିନୀ ସକଳ ନିମନ୍ତେ ଯଜ୍ଞବେଦିମାନ ନିର୍ମାଣ କଲେ।
6ପୁଣି ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ ଓ ଶୁଭାଶୁଭ କହିବାର ବିଦ୍ୟା, ଓ ଗଣକତା ବ୍ୟବହାର କଲେ, ଆଉ ଭୂତୁଡ଼ିଆ ଓ ଗୁଣିଆମାନଙ୍କ ସହିତ ସମ୍ପର୍କ ରଖିଲେ। ସେ ସଦାପ୍ରଭୁଙ୍କୁ ବିରକ୍ତ କରିବା ନିମନ୍ତେ ତାହାଙ୍କ ଦୃଷ୍ଟିରେ ବହୁତ କୁକର୍ମ କଲେ।