13ସେତେବେଳେ ଇଲୀଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, “ତୁମ୍ଭ ସହିତ ମୋହର କʼଣ କରିବାର ଅଛି? ତୁମ୍ଭ ପିତାର ଭବିଷ୍ୟଦ୍ବକ୍ତାମାନଙ୍କ ନିକଟକୁ ଓ ତୁମ୍ଭ ମାତାର ଭବିଷ୍ୟଦ୍ବକ୍ତାମାନଙ୍କ ନିକଟକୁ ଯାଅ।” ତହିଁରେ ଇସ୍ରାଏଲର ରାଜା ତାଙ୍କୁ କହିଲେ, “ନାହିଁ, କାରଣ ମୋୟାବ ହସ୍ତରେ ସମର୍ପଣ କରିବା ପାଇଁ ସଦାପ୍ରଭୁ ଏ ତିନି ରାଜାଙ୍କୁ ଏକତ୍ର ଡାକିଅଛନ୍ତି।”
14ପୁଣି ଇଲୀଶାୟ କହିଲେ, “ମୁଁ ଯାହାଙ୍କ ଛାମୁରେ ଠିଆ ହେଉଅଛି, ସେହି ସୈନ୍ୟାଧିପତି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଯେବେ ମୁଁ ଯିହୁଦାର ରାଜା ଯିହୋଶାଫଟ୍ଙ୍କ ଉପସ୍ଥିତିକୁ ମର୍ଯ୍ୟାଦା ନ କରନ୍ତି, ତେବେ ନିଶ୍ଚୟ ମୁଁ ତୁମ୍ଭଆଡ଼େ ଅନାନ୍ତି ନାହିଁ, କି ତୁମ୍ଭକୁ ଦେଖନ୍ତି ନାହିଁ।
15ତଥାପି ଏବେ ମୋʼ ନିକଟକୁ ଏକ ବାଦ୍ୟକର ଆଣ।” ତହୁଁ ବାଦ୍ୟକର ଆସି ବାଦ୍ୟ ବଜାନ୍ତେ, ସଦାପ୍ରଭୁଙ୍କ ହସ୍ତ ଇଲୀଶାୟଙ୍କ ଉପରେ ଅବସ୍ଥାନ କଲା।
16ତହିଁରେ ସେ କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ଏହି ଉପତ୍ୟକାକୁ ଖାତରେ ପୂର୍ଣ୍ଣ କର।’
17କାରଣ ସଦାପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ; ତହିଁରେ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଗୋମେଷାଦି ଓ ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ।’