17ଏଥିରେ ନାମାନ୍ କହିଲା, “ଏହା ନ କଲେ, ମୁଁ ଆପଣଙ୍କୁ ବିନୟ କରୁଅଛି, ଆପଣଙ୍କ ଦାସକୁ ଦୁଇ ଖଚରର ଭାର ମାଟି ଦିଆଯାଉ; କାରଣ ଆଜିଠାରୁ ଆପଣଙ୍କ ଦାସ ସଦାପ୍ରଭୁଙ୍କ ବ୍ୟତୀତ ଆଉ କୌଣସି ଦେବତା ଉଦ୍ଦେଶ୍ୟରେ ହୋମ କି ବଳି ଉତ୍ସର୍ଗ କରିବ ନାହିଁ।
18ଏହି ବିଷୟରେ ସଦାପ୍ରଭୁ ଆପଣଙ୍କ ଦାସକୁ କ୍ଷମା କରନ୍ତୁ; ମୋʼ ପ୍ରଭୁ ରିମ୍ମୋଣ-ମନ୍ଦିରରେ ପ୍ରଣାମ କରିବା ପାଇଁ ଯିବା ବେଳେ ମୋʼ ହସ୍ତରେ ନିର୍ଭର କଲେ, ମୁଁ ଯେବେ ରିମ୍ମୋନ୍ ମନ୍ଦିରରେ ପ୍ରଣାମ କରେ, ତେବେ ରିମ୍ମୋଣ-ମନ୍ଦିରରେ ପ୍ରଣାମ କରିବା ବେଳେ ଏ ବିଷୟରେ ସଦାପ୍ରଭୁ ଆପଣଙ୍କ ଦାସକୁ କ୍ଷମା କରନ୍ତୁ।”
19ତହିଁରେ ଇଲୀଶାୟ ତାହାକୁ କହିଲେ, “କୁଶଳରେ ଯାଅ।” ତହୁଁ ନାମାନ୍ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଅଳ୍ପ ଦୂର ବାଟ ଗଲା।
20ମାତ୍ର ପରମେଶ୍ୱରଙ୍କ ଲୋକ ଇଲୀଶାୟଙ୍କର ଦାସ ଗିହେଜୀ କହିଲା, “ଦେଖ, ମୋʼ ପ୍ରଭୁ ଏହି ଅରାମୀୟ ନାମାନ୍ ଆଣିଥିବା କୌଣସି ଦ୍ରବ୍ୟ ତାହା ହାତରୁ ଗ୍ରହଣ ନ କରି ତାହାକୁ ଛାଡ଼ି ଦେଇଅଛନ୍ତି; ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ମୁଁ ତାହା ପଛେ ଦୌଡ଼ି ତାହାଠାରୁ କିଛି ନେବି।”
21ତହୁଁ ଗିହେଜୀ ନାମାନ୍ର ପଛେ ପଛେ ଗଲା। ଏଥିରେ ନାମାନ୍ ଆପଣା ପଛେ ଜଣକୁ ଦୌଡ଼ିବାର ଦେଖି ତାହାକୁ ସାକ୍ଷାତ କରିବା ପାଇଁ ରଥରୁ ଓହ୍ଲାଇ ପଚାରିଲା, “ସବୁ କୁଶଳ ତ?”