17ଏଥିରେ ଦାଉଦଙ୍କ ଗୃହସ୍ଥ ପ୍ରାଚୀନମାନେ ଉଠି ତାଙ୍କୁ ଭୂମିରୁ ଉଠାଇବା ପାଇଁ ତାଙ୍କ ନିକଟରେ ଛିଡ଼ା ହେଲେ; ମାତ୍ର ସେ ଉଠିଲେ ନାହିଁ, କିଅବା ସେମାନଙ୍କ ସଙ୍ଗେ ଭୋଜନ କଲେ ନାହିଁ।
18ଏଉତ୍ତାରେ ସପ୍ତମ ଦିନରେ ବାଳକ ମଲା। ମାତ୍ର ବାଳକ ଯେ ମରିଅଛି, ଏହି କଥା ଦାଉଦଙ୍କୁ ଜଣାଇବା ପାଇଁ ତାଙ୍କର ଦାସମାନେ ଭୟ କଲେ; କାରଣ ସେମାନେ କହିଲେ, “ଦେଖ, ବାଳକ ବଞ୍ଚିଥିବା ବେଳେ ଆମ୍ଭେମାନେ ବହୁତ କହିଲେ ହେଁ ସେ ଆମ୍ଭମାନଙ୍କ ରବ ଶୁଣିଲେ ନାହିଁ; ଏବେ ବାଳକ ମରିଅଛି, ଏ କଥା ତାଙ୍କୁ ଜଣାଇଲେ, ସେ ଆପଣାର କି ଅନିଷ୍ଟ ନ କରିବେ?”
19ମାତ୍ର ଦାଉଦ ଆପଣା ଦାସମାନଙ୍କୁ ପରସ୍ପର ଫୁସ୍ ଫୁସ୍ ହେଉଥିବାର ଦେଖି ଅନୁମାନ କଲେ ଯେ, ବାଳକ ମରିଅଛି; ଏଣୁ ଦାଉଦ ଆପଣା ଦାସମାନଙ୍କୁ ପଚାରିଲେ, “ବାଳକ ମଲାଣି କି?” ସେମାନେ କହିଲେ, “ମଲାଣି।”
20ଏଥିରେ ଦାଉଦ ଭୂମିରୁ ଉଠି ସ୍ନାନ ଓ ମର୍ଦ୍ଦନ ଓ ବସ୍ତ୍ର ପରିବର୍ତ୍ତନ କରି ସଦାପ୍ରଭୁଙ୍କ ଗୃହକୁ ଯାଇ ପ୍ରଣାମ କଲେ; ତହିଁ ଉତ୍ତାରେ ସେ ଆପଣା ଗୃହକୁ ଆସି ଆଜ୍ଞା ଦିଅନ୍ତେ, ଲୋକମାନେ ତାଙ୍କ ସମ୍ମୁଖରେ ଖାଦ୍ୟଦ୍ରବ୍ୟ ରଖିଲେ, ତହୁଁ ସେ ଭୋଜନ କଲେ।
21ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, “ଆପଣ ଏ କି ପ୍ରକାର କର୍ମ କଲେ? ବାଳକ ବଞ୍ଚିଥିବା ବେଳେ ଆପଣ ତାହା ପାଇଁ ଉପବାସ ଓ ରୋଦନ କଲେ; ମାତ୍ର ବାଳକ ମଲା ଉତ୍ତାରେ ଆପଣ ଉଠି ଭୋଜନ କଲେ।”