32ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା।
33ପୁଣି ରାଜା ବର୍ସିଲ୍ଲୟଙ୍କୁ କହିଲେ, “ତୁମ୍ଭେ ମୋʼ ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଯିରୂଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”
34ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, “ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି?
35ଆଜି ମୁଁ ଅଶୀ ବର୍ଷ ବୟସ୍କ; ମୁଁ କʼଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କʼଣ ତହିଁର ଆସ୍ୱାଦ ପାଇ ପାରେ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣି ପାରେ? ତେବେ କାହିଁକି ଆପଣଙ୍କ ଦାସ ମୋହର ସ୍ୱାମୀ ମହାରାଜଙ୍କ ପ୍ରତି ଭାର ସ୍ୱରୂପ ହେବ?
36ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜଙ୍କ ସଙ୍ଗେ ଯିବ; ଆଉ ମହାରାଜ ତହିଁ ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ?