37ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋʼ ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରି ଯିବାକୁ ଅନୁମତି ଦେଉନ୍ତୁ। ମାତ୍ର ଆପଣଙ୍କ ଦାସ କିମ୍ହମ୍କୁ ଦେଖନ୍ତୁ; ସେ ମୋହର ପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ପ୍ରତି ତାହା କରନ୍ତୁ।”
38ଏଥିରେ ରାଜା ଉତ୍ତର କଲେ, “କିମ୍ହମ୍ ମୋʼ ସଙ୍ଗେ ପାର ହୋଇଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋʼ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି।”
39ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।
40ଏହିରୂପେ ରାଜା ପାର ହୋଇ ଗିଲ୍ଗଲ୍କୁ ଗଲେ ଓ କିମ୍ହମ୍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।
41ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।”