1ଏଥିଉତ୍ତାରେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, “ମୁଁ କʼଣ ଯିହୁଦାର କୌଣସି ଏକ ନଗରକୁ ଯିବି?” ସଦାପ୍ରଭୁ ତାଙ୍କୁ କହିଲେ, “ଯାଅ।” ପୁଣି ଦାଉଦ କହିଲେ, “ମୁଁ କେଉଁ ସହରକୁ ଯିବି?” ସେ କହିଲେ “ହିବ୍ରୋଣକୁ।”
2ଏଣୁ ଦାଉଦ ଓ ତାଙ୍କର ଦୁଇ ଭାର୍ଯ୍ୟା ଯିଷ୍ରିୟେଲୀୟା ଅହୀନୋୟମ୍ ଓ କର୍ମିଲୀୟ ନାବଲର ଭାର୍ଯ୍ୟା ଅବୀଗଲ ନାମ୍ନୀ ସେହି ସ୍ଥାନକୁ ଗଲେ।
3ଆଉ ଦାଉଦ ମଧ୍ୟ ଆପଣା ସଙ୍ଗୀମାନଙ୍କୁ ପୁଣି ସେମାନଙ୍କର ପରିବାରବର୍ଗଙ୍କୁ ନେଲେ; ତହିଁରେ ସେମାନେ ହିବ୍ରୋଣର ନଗରମାନରେ ବାସ କଲେ।
4ତହୁଁ ଯିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଯିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏଉତ୍ତାରେ ଯେବେ ଲୋକମାନେ ଯାବେଶ-ଗିଲୀୟଦୀୟମାନେ ଶାଉଲଙ୍କୁ କବର ଦେଲେ ବୋଲି ଦାଉଦଙ୍କୁ ଜଣାଇଲେ।
5ତହିଁରେ ଦାଉଦ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଦ୍ୱାରା ଆଶୀର୍ବାଦ-ପାତ୍ର, କାରଣ ତୁମ୍ଭେମାନେ ଆପଣା ରାଜା ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ।