2ତହିଁରେ ରାଜା ଆପଣା ନିକଟସ୍ଥ ସେନାପତି ଯୋୟାବଙ୍କୁ କହିଲେ; “ତୁମ୍ଭେମାନେ ଦାନ୍ଠାରୁ ବେର୍ଶେବା ପର୍ଯ୍ୟନ୍ତ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟଦେଇ ଭ୍ରମଣ କରି ଲୋକମାନଙ୍କୁ ଗଣନା କର, ତାହାହେଲେ ମୁଁ ଲୋକମାନଙ୍କର ସଂଖ୍ୟା ଜାଣି ପାରିବି।”
3ଏଥିରେ ଯୋୟାବ ରାଜାଙ୍କୁ କହିଲା, “ଏବେ ଯେତେ ଲୋକ ଅଛନ୍ତି; ସଦାପ୍ରଭୁ ଆପଣଙ୍କ ପରମେଶ୍ୱର ସେମାନଙ୍କୁ ଶତଗୁଣ ବୃଦ୍ଧି କରନ୍ତୁ ଓ ମୋʼ ପ୍ରଭୁ ମହାରାଜଙ୍କ ଚକ୍ଷୁ ତାହା ଦେଖୁ; ମାତ୍ର ମୋʼ ପ୍ରଭୁ ମହାରାଜ ଏପରି କରିବା ପାଇଁ କାହିଁକି ଚାହୁଁଅଛନ୍ତି?”
4ତଥାପି ଯୋୟାବ ଉପରେ ଓ ସେନାପତିମାନଙ୍କ ଉପରେ ରାଜାଙ୍କ ବାକ୍ୟ ପ୍ରବଳ ହେଲା। ତହୁଁ ଯୋୟାବ ଓ ସେନାପତିମାନେ ଇସ୍ରାଏଲ ଲୋକମାନଙ୍କୁ ଗଣନା କରିବା ପାଇଁ ରାଜାଙ୍କ ସାକ୍ଷାତରୁ ଗମନ କଲେ।
5ଏଉତ୍ତାରେ ସେମାନେ ଯର୍ଦ୍ଦନ ପାର ହୋଇ ଅରୋୟେରରେ ଗାଦ୍ ଉପତ୍ୟକାର ମଧ୍ୟବର୍ତ୍ତୀ ନଗରର ଦକ୍ଷିଣ ପାଖରେ ଛାଉଣି ସ୍ଥାପନ କଲେ, ଓ ଗାଦ୍ରୁ ଯାସେର ପର୍ଯ୍ୟନ୍ତ ଯାତ୍ରା କଲେ;
6ତହିଁ ଉତ୍ତାରେ ସେମାନେ ଗିଲୀୟଦକୁ ଓ ତହତୀମ୍-ହଦ୍ଶି ଦେଶକୁ ଆସିଲେ; ତହୁଁ ସେମାନେ ଦାନ୍-ଯାନକୁ ଓ ସେଠାରୁ ବୁଲି ସୀଦୋନକୁ ଆସିଲେ।