12ସେଠାରୁ ଫିଲିପ୍ପୀକୁ ଗଲୁ, ଏହା ମାକିଦନିଆ ଅଞ୍ଚଳର ଏକ ପ୍ରଧାନ ନଗର, ପୁଣି, ଗୋଟିଏ ରୋମୀୟ ଉପନିବେଶ; ସେହି ନଗରରେ ଆମ୍ଭେମାନେ କେତେକ ଦିନ ରହିଲୁ।
13ବିଶ୍ରାମବାର ଦିନରେ ଆମ୍ଭେମାନେ ନଗର ଦ୍ୱାରରୁ ବାହାରି ନଦୀକୂଳକୁ ଗଲୁ, ସେଠାରେ ପ୍ରାର୍ଥନାର ସ୍ଥାନ ଅଛି ବୋଲି ଆମ୍ଭେମାନେ ମନେ କରିଥିଲୁ, ଆଉ ଆମ୍ଭେମାନେ ବସି ସମବେତ ହୋଇଥିବା ମହିଳାମାନଙ୍କ ସହିତ କଥା କହିବାକୁ ଲାଗିଲୁ।
14ପୁଣି, ଥୁୟାଥିରା ନଗରର ବାଇଗଣିଆ ବସ୍ତ୍ର ବିକ୍ରୟକାରିଣୀ ଲୂଦିଆ ନାମ୍ନୀ ଜଣେ ମହିଳା, ଯେ ଈଶ୍ବରଭକ୍ତିନୀ ଥିଲେ, ସେ ଆମ୍ଭମାନଙ୍କର କଥା ଶୁଣୁଥିଲେ। ସେ ଯେପରି ପାଉଲଙ୍କର କହିଥିବା ବିଷୟ ପ୍ରତି ମନୋଯୋଗ କରନ୍ତି, ଏଥିନିମନ୍ତେ ପ୍ରଭୁ ତାହାଙ୍କର ହୃଦୟ ଫିଟାଇଦେଲେ।
15ପୁଣି, ସେ ଓ ତାହାଙ୍କର ପରିବାର ବାପ୍ତିଜିତ ହେଲା ଉତ୍ତାରେ ସେ ଆମ୍ଭମାନଙ୍କୁ ବିନତି କରି କହିଲେ, ଆପଣମାନେ ଯଦି ମୋତେ ପ୍ରଭୁଙ୍କ ନିକଟରେ ବିଶ୍ୱସ୍ତ ବୋଲି ବିଚାର କରିଥାଆନ୍ତି, ତେବେ ମୋହର ଗୃହକୁ ଆସି ବାସ କରନ୍ତୁ; ଆଉ ସେ ଆମ୍ଭମାନଙ୍କୁ ବାଧ୍ୟ କଲେ।
16ଦିନେ ଆମ୍ଭେମାନେ ପ୍ରାର୍ଥନା ସ୍ଥାନକୁ ଯାଉ ଯାଉ ଦୈବଜ୍ଞ ଆତ୍ମାବିଷ୍ଟ ଜଣେ ଦାସୀ ଆମ୍ଭମାନଙ୍କୁ ଭେଟିଲା, ତାହାର ଭାଗ୍ୟଗଣନା ଦ୍ୱାରା ତାହାର କର୍ତ୍ତାମାନଙ୍କର ବହୁତ ଲାଭ ହେଉଥିଲା।