21ସେଥିରେ ସେମାନେ ଲୋକମାନଙ୍କ ହେତୁ ସେମାନଙ୍କୁ ଦଣ୍ଡ ଦେବାର କୌଣସି ବାଟ ନ ପାଇବାରୁ ସେମାନଙ୍କୁ ଅଧିକ ଭୟ ଦେଖାଇ ଛାଡ଼ିଦେଲେ, ଯେଣୁ ଯାହା ଘଟିଥିଲା, ସେଥିନିମନ୍ତେ ଲୋକ ସମସ୍ତେ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ,
22କାରଣ ଯେଉଁ ଲୋକଠାରେ ସେହି ସୁସ୍ଥତାର ଆଶ୍ଚର୍ଯ୍ୟକର୍ମ କରାଯାଇଥିଲା, ତାହାର ବୟସ ଚାଳିଶ ବର୍ଷରୁ ଊର୍ଦ୍ଧ୍ୱ ଥିଲା।
23ଶିଷ୍ୟମାନେ ମୁକ୍ତ ହୋଇ ଆପଣା ସଙ୍ଗୀମାନଙ୍କ ନିକଟକୁ ଗଲେ ଏବଂ ପ୍ରଧାନ ଯାଜକ ଓ ପ୍ରାଚୀନମାନେ ସେମାନଙ୍କୁ ଯାହା ଯାହା କହିଥିଲେ, ସେହିସବୁ ଜଣାଇଲେ।
24ସେମାନେ ତାହା ଶୁଣି ଏକଚିତ୍ତରେ ଈଶ୍ବରଙ୍କ ନିକଟରେ ଉଚ୍ଚସ୍ୱରରେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଏବଂ ସେ ସବୁ ମଧ୍ୟରେ ଥିବା ସମସ୍ତ ବିଷୟ ସୃଷ୍ଟି କରିଅଛ।
25ତୁମ୍ଭେ ଆପଣା ଦାସ ଆମ୍ଭମାନଙ୍କ ପିତା ଦାଉଦଙ୍କ ମୁଖ ଦେଇ ପବିତ୍ର ଆତ୍ମାଙ୍କ ଦ୍ୱାରା ଏହି କଥା କହିଅଛ, “‘ଅଣଯିହୁଦୀମାନେ କାହିଁକି କଳହ କଲେ, ଆଉ ଲୋକମାନେ କାହିଁକି ଅନର୍ଥକ ବିଷୟ କଳ୍ପନା କଲେ?