15ଏପରିକି, ପିତର ଆସିବା ସମୟରେ ଅନ୍ତତଃ ତାହାଙ୍କ ଛାୟା ଯେପରି ରୋଗୀମାନଙ୍କ ମଧ୍ୟରୁ କାହାରି କାହାରି ଉପରେ ପଡ଼େ, ଏଥିନିମନ୍ତେ ଲୋକମାନେ ସେମାନଙ୍କୁ ଦାଣ୍ଡକୁ ବୋହିନେଇ ଆସି ଶେଯ ଓ ଖଟିଆରେ ରଖିଦେଉଥିଲେ।
16ଯିରୂଶାଲମ ସହରର ଚତୁର୍ଦ୍ଦିଗସ୍ଥ ନଗରସମୂହରୁ ଲୋକସମୂହ ମଧ୍ୟ ରୋଗୀମାନଙ୍କୁ ଓ ଅଶୁଚି ଆତ୍ମା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କୁ ଆଣି ଏକତ୍ର ହେଉଥିଲେ, ଆଉ ସେମାନେ ସମସ୍ତେ ସୁସ୍ଥ ହେଲେ।
17ପରେ ମହାଯାଜକ ଓ ତାହାଙ୍କ ସଙ୍ଗୀ ସମସ୍ତେ, ଅର୍ଥାତ୍, ସାଦ୍ଦୂକୀ ଦଳ, ଈର୍ଷାରେ ପ୍ରଜ୍ୱଳିତ ହୋଇ ଉଠିଲେ
18ଓ ପ୍ରେରିତମାନଙ୍କୁ ଧରି ସାଧାରଣ କାରାଗାରରେ ରଖିଲେ।
19କିନ୍ତୁ ପ୍ରଭୁଙ୍କର ଜଣେ ଦୂତ ରାତ୍ରିକାଳରେ କାରାଗାରର ଦ୍ୱାରସବୁ ଫିଟାଇଦେଲେ ଓ ସେମାନଙ୍କୁ ବାହାର କରି ଆଣି କହିଲେ,