36କାରଣ ଏଥିପୂର୍ବେ ଥିଉଦା ଉଠି ନିଜକୁ ଜଣେ ମହାପୁରୁଷ ବୋଲି କହିଲା, ଆଉ ପ୍ରାୟ ଚାରି ଶହ ଲୋକ ତାହା ସହିତ ଯୋଗ ଦେଲେ; ସେ ହତ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ଓ ବିଫଳ ହେଲେ।
37ସେହି ଲୋକ ଉତ୍ତାରେ ଜନଗଣନା ସମୟରେ ଗାଲିଲୀୟ ଯିହୂଦା ଉଠି ଲୋକମାନଙ୍କୁ ଆପଣା ପଛରେ ଟାଣିନେଇ ବିପ୍ଳବ କରାଇଲା; ସେ ମଧ୍ୟ ବିନଷ୍ଟ ହେଲା, ପୁଣି, ଯେତେ ଲୋକ ତାହାର ଅନୁଗତ ହୋଇଥିଲେ, ସେମାନେ ସମସ୍ତେ ଛିନ୍ନଭିନ୍ନ ହୋଇଗଲେ।
38ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତାହା ଉଚ୍ଛିନ୍ନ ହୋଇଯିବ;
39କିନ୍ତୁ ଯଦି ତାହା ଈଶ୍ବରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ବରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ।
40ସେମାନେ ତାହାଙ୍କ କଥାରେ ସମ୍ମତ ହେଲେ, ପୁଣି, ପ୍ରେରିତମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ।