2ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣ ନଗରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆ ଦେଶରେ ଥିଲେ, ସେତେବେଳେ ଗୌରବମୟ ଈଶ୍ବର ତାହାଙ୍କୁ ଦର୍ଶନ ଦେଇ କହିଲେ,
3ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ।
4ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ,
5ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।
6ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ।