20ପୁଣି, ତାହାଙ୍କ କ୍ରୁଶର ରକ୍ତରେ ସେ ଶାନ୍ତି ସ୍ଥାପନ କରି ତାହାଙ୍କ ଦ୍ୱାରା ଆପଣା ସହିତ ସମସ୍ତର ମିଳନ କରନ୍ତି, ହଁ, ତାହାଙ୍କ ଦ୍ୱାରା ପୃଥିବୀ ବା ସ୍ୱର୍ଗରେ ସ୍ଥିତ ସମସ୍ତ ବିଷୟର ମିଳନ କରନ୍ତି।
21ଆଉ, ପୂର୍ବେ ଦୁଷ୍କର୍ମ କରି ତୁମ୍ଭେମାନେ ଈଶ୍ବରଙ୍କଠାରୁ ପୃଥକ ଓ ମନରେ ତାହାଙ୍କର ଶତ୍ରୁ ଥିଲ,
22କିନ୍ତୁ ଏବେ ସେ ତୁମ୍ଭମାନଙ୍କୁ ମଧ୍ୟ ଆପଣା ସାକ୍ଷାତରେ ପବିତ୍ର, ଅନିନ୍ଦନୀୟ ଓ ନିର୍ଦ୍ଦୋଷ କରି ସ୍ଥାପନ କରିବା ନିମନ୍ତେ ଖ୍ରୀଷ୍ଟଙ୍କ ମାଂସମୟ ଶରୀରରେ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ଆପଣା ସହିତ ମିଳିତ କରିଅଛନ୍ତି;
23ତୁମ୍ଭେମାନେ ଯେବେ ବିଶ୍ୱାସରେ ବଦ୍ଧମୂଳ ଓ ଅଟଳ ରହି ସୁସମାଚାରରେ ନିହିତ ଭରସାରୁ ବିଚଳିତ ନ ହୁଅ, ତାହାହେଲେ ନିଶ୍ଚୟ ଏହିସବୁ ଫଳ ପାଇବ; ସେହି ସୁସମାଚାର ତୁମ୍ଭେମାନେ ତ ଶୁଣିଅଛ; ତାହା ଆକାଶମଣ୍ଡଳ ତଳେ ଥିବା ସମସ୍ତ ସୃଷ୍ଟି ନିକଟରେ ପ୍ରଚାରିତ ହୋଇଅଛି, ଆଉ ମୁଁ ପାଉଲ ସେଥିର ଜଣେ ସେବକ ହୋଇଅଛି।
24ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖଭୋଗ କରୁଅଛି, ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ଅଛି, ତାହା ମୁଁ ତାହାଙ୍କ ଶରୀରରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି;