13ଆଉ, ଉତ୍ତର ଦେଶର ରାଜା ଫେରି ପୂର୍ବ ଅପେକ୍ଷା ଏକ ବୃହତ ଜନତା ସଂଗ୍ରହ କରିବ; ପୁଣି ସେ, କାଳର ଅର୍ଥାତ୍, ବର୍ଷମାନର ଶେଷରେ ମହାସୈନ୍ୟ ଓ ଅପାର ସାମଗ୍ରୀ ନେଇ ଆସିବ।
14ପୁଣି, ସେହି ସମୟରେ ଅନେକ ଲୋକ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଉଠିବେ; ମଧ୍ୟ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଅତ୍ୟାଚାରୀଗଣର ସନ୍ତାନମାନେ ଏହି ଦର୍ଶନ ସଫଳାର୍ଥେ ଆପଣାମାନଙ୍କୁ ଉନ୍ନତ କରିବେ; ମାତ୍ର ସେମାନେ ପତିତ ହେବେ।
15ଏହିରୂପେ ଉତ୍ତର ଦେଶର ରାଜା ଆସିବ ଓ ଗଡ଼ବନ୍ଦୀ କରି ସୁଦୃଢ଼ ନଗର ହସ୍ତଗତ କରିବ; ତହିଁରେ ଦକ୍ଷିଣ ଦେଶର ସହାୟଗଣ ଓ ମନୋନୀତ ଲୋକମାନେ ପ୍ରତିବାଧା ଦେଇ ପାରିବେ ନାହିଁ; କିଅବା ପ୍ରତିବାଧା କରିବା ପାଇଁ କୌଣସି ଶକ୍ତି ରହିବ ନାହିଁ।
16ମାତ୍ର ଯେ ତାହାର ବିରୁଦ୍ଧରେ ଆସିବ, ସେ ସ୍ଵେଚ୍ଛାନୁସାରେ କାର୍ଯ୍ୟ କରିବ ଓ ତାହା ସାକ୍ଷାତରେ କେହି ଠିଆ ହେବ ନାହିଁ; ଆଉ, ସେ ରମ୍ୟ (ଇସ୍ରାଏଲ) ଦେଶରେ ଠିଆ ହେବ ଓ ତାହାର ହସ୍ତରେ ବିନାଶ ରହିବ।
17ପୁଣି, ସେ ଆପଣା ସମୁଦାୟ ରାଜ୍ୟର ପରାକ୍ରମ ସହିତ ଆସିବା ପାଇଁ ଆପଣା ମନସ୍ଥ କରିବ ଓ ସରଳ ଲୋକମାନେ ତାହା ସଙ୍ଗରେ ଆସିବେ; ସେ ଆପଣା ଇଚ୍ଛାନୁସାରେ କାର୍ଯ୍ୟ କରିବ; ସେ ନଷ୍ଟ କରିବା ପାଇଁ ନାରୀଗଣର କନ୍ୟା ତାହାକୁ ଦେବ; ମାତ୍ର କନ୍ୟା ସ୍ଥିର ରହିବ ନାହିଁ, କିଅବା ତାହା ପାଇଁ ହେବ ନାହିଁ।