21ପୁଣି, ଯାହାକୁ ସେମାନେ ରାଜାର ସମ୍ମାନ ଦେଇ ନ ଥିଲେ, ଏପରି ଜଣେ ତୁଚ୍ଛ ଲୋକ ତାହାର ପଦ ପ୍ରାପ୍ତ ହେବ; ମାତ୍ର ସେ ନିଶ୍ଚିନ୍ତ ସମୟରେ ଆସିବ ଓ ଚାଟୁବାକ୍ୟ ଦ୍ୱାରା ରାଜ୍ୟ ପାଇବ।
22ଆଉ, ପ୍ଲାବନରୂପ ସୈନ୍ୟଦଳ ଦ୍ୱାରା ସେମାନେ ତାହା ସମ୍ମୁଖରୁ ବହି ଯିବେ ଓ ଭଗ୍ନ ହେବେ; ହଁ, ନିୟମର ଅଧିପତି ମଧ୍ୟ ଭଗ୍ନ ହେବ।
23ପୁଣି, ତାହାର ସହିତ ଚୁକ୍ତି ସ୍ଥିର କରାଗଲା ପରେ ସେ ପ୍ରତାରଣାପୂର୍ବକ କାର୍ଯ୍ୟ କରିବ; କାରଣ ସେ ଆସି ଅଳ୍ପ ଲୋକ ଦ୍ୱାରା ପରାକ୍ରମୀ ହେବ।
24ସେ ନିଶ୍ଚିନ୍ତ ସମୟରେ ଦେଶର ଅତ୍ୟୁତ୍ତମ ସ୍ଥାନରେ ପ୍ରବେଶ କରିବ ଓ ତାହାର ପିତୃ ଓ ପିତାମହଗଣ ଯାହା କରି ନ ଥିଲେ, ତାହା ସେ କରିବ; ସେ ସେମାନଙ୍କ ମଧ୍ୟରେ ଲୁଟିତ ଦ୍ରବ୍ୟ ଓ ଅପହୃତ ବସ୍ତୁ ଓ ଧନ ବିଞ୍ଚି ଦେବ ଓ ଦୃଢ଼ ଗଡ଼ସକଳର ବିରୁଦ୍ଧରେ ସେ କିଛି କାଳ କୌଶଳ କଳ୍ପନା କରିବ।
25ପୁଣି, ସେ ମହାସୈନ୍ୟଦଳ ସଙ୍ଗେ ନେଇ ଦକ୍ଷିଣ ଦେଶର ରାଜା ବିରୁଦ୍ଧରେ ଆପଣା ବଳ ଓ ସାହସ ଉତ୍ତେଜିତ କରିବ; ତହିଁରେ ଦକ୍ଷିଣ ଦେଶର ରାଜା ଅତି ବୃହତ ଓ ପରାକ୍ରାନ୍ତ ସୈନ୍ୟ ଘେନି ତାହା ସଙ୍ଗେ ଯୁଦ୍ଧ କରିବ; ମାତ୍ର ସେ ସ୍ଥିର ହୋଇ ରହିବ ନାହିଁ; କାରଣ ସେମାନେ ତାହା ବିରୁଦ୍ଧରେ ନାନା କୌଶଳ କଳ୍ପନା କରିବେ।