6ମାତ୍ର ଯଦି ତୁମ୍ଭେମାନେ ସ୍ୱପ୍ନ ଓ ତହିଁର ଅର୍ଥ ପ୍ରକାଶ କର, ତେବେ ତୁମ୍ଭେମାନେ ମୋʼ ଠାରୁ ଦାନ, ପୁରସ୍କାର ଓ ମହାସମାଦର ପାଇବ; ଏଥିପାଇଁ ସେହି ସ୍ୱପ୍ନ ଓ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କର।”
7ସେମାନେ ଦ୍ୱିତୀୟ ଥର ଉତ୍ତର ଦେଇ କହିଲେ, “ମହାରାଜା, ଆପଣା ଦାସମାନଙ୍କୁ ସ୍ୱପ୍ନଟି ଜଣାଉନ୍ତୁ, ତହିଁରେ ଆମ୍ଭେମାନେ ଅର୍ଥ ପ୍ରକାଶ କରିବୁ।”
8ରାଜା ଉତ୍ତର କରି କହିଲା, “ମୋʼ ଠାରୁ କଥା ବାହାରି ଯାଇଅଛି, ଏହା ଦେଖି ତୁମ୍ଭେମାନେ ସମୟ ବିଳମ୍ବ କରିବାର ଇଚ୍ଛା କରୁଅଛ, ଏହା ମୁଁ ନିଶ୍ଚୟ ଜାଣେ।
9ମାତ୍ର ତୁମ୍ଭେମାନେ ଯଦି ସେହି ସ୍ୱପ୍ନ ମୋତେ ନ ଜଣାଅ; ତେବେ ତୁମ୍ଭମାନଙ୍କ ନିମନ୍ତେ ଏକମାତ୍ର ବ୍ୟବସ୍ଥା ଅଛି; କାରଣ ସମୟର ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ମୋʼ ଛାମୁରେ ମିଥ୍ୟା ଓ ପ୍ରବଞ୍ଚନା-ବାକ୍ୟ କହିବା ପାଇଁ ପ୍ରସ୍ତୁତ କରିଅଛ; ଏଥିପାଇଁ ତୁମ୍ଭେମାନେ ସ୍ୱପ୍ନଟି ମୋତେ ଜଣାଅ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋʼ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”
10କଲ୍ଦୀୟମାନେ ରାଜାର ଛାମୁରେ ଉତ୍ତର କରି କହିଲେ, ମହାରାଜାଙ୍କ ବିଷୟ ଯେ ପ୍ରକାଶ କରି ପାରିବ, “ପୃଥିବୀରେ ଏପରି କୌଣସି ମନୁଷ୍ୟ ନାହିଁ; କାରଣ କୌଣସି ରାଜା, ପ୍ରଭୁ କିଅବା ଶାସନକର୍ତ୍ତା କୌଣସି ମନ୍ତ୍ରଜ୍ଞକୁ କିଅବା ଗଣକକୁ ଅଥବା କଲ୍ଦୀୟକୁ ଏପରି କଥା ପଚାରି ନାହାନ୍ତି।