7ରାଜା ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କୁ ଆଣିବା ପାଇଁ ଉଚ୍ଚସ୍ୱର କରି ଡାକିଲା। ରାଜା ବାବିଲୀୟ ବିଦ୍ୱାନ୍ମାନଙ୍କୁ କହିଲା, “ଯେକେହି ଏହି ଲେଖା ପଢ଼ିବ ଓ ତହିଁର ଅର୍ଥ ମୋତେ ଜଣାଇବ, ସେ ବାଇଗଣିଆ ରଙ୍ଗ ବସନରେ ବସ୍ତ୍ରାନ୍ୱିତ ହେବ ଓ ତାହାର କଣ୍ଠରେ ସୁବର୍ଣ୍ଣର ହାର ଦିଆଯିବ, ଆଉ ସେ ରାଜ୍ୟରେ ତୃତୀୟ କର୍ତ୍ତା ହେବ।”
8ତହିଁରେ ରାଜାର ସମସ୍ତ ବିଦ୍ୱାନ୍ ଲୋକ ଭିତରକୁ ଆସିଲେ; ମାତ୍ର ସେମାନେ ଲେଖା ପଢ଼ି ପାରିଲେ ନାହିଁ, କିଅବା ରାଜାକୁ ତହିଁର ଅର୍ଥ ଜଣାଇ ପାରିଲେ ନାହିଁ।
9ତେଣୁ ରାଜା ବେଲ୍ଶତ୍ସର ଅତିଶୟ ଉଦ୍ବିଗ୍ନ ହେଲା ଓ ତାହାର ମୁଖ ବିବର୍ଣ୍ଣ ହେଲା, ଆଉ ତାହାର ଅମାତ୍ୟଗଣ ବିସ୍ମୟାପନ୍ନ ହେଲେ।
10ଏହି ସମୟରେ ରାଜାର ଓ ତାହାର ଅମାତ୍ୟଗଣର କଥା ସକାଶୁ ରାଣୀ ଭୋଜନଶାଳାକୁ ଆସିଲା; ରାଣୀ କହିଲା, “ହେ ରାଜନ୍, ଚିରଜୀବୀ ହେଉନ୍ତୁ; ଆପଣଙ୍କର ଭାବନା ଆପଣଙ୍କୁ ଉଦ୍ବିଗ୍ନ ନ କରୁ, ଅଥବା ଆପଣଙ୍କ ମୁଖ ବିବର୍ଣ୍ଣ ନ ହେଉ।
11ଆପଣଙ୍କ ରାଜ୍ୟ ମଧ୍ୟରେ ଏକ ଲୋକ ଅଛନ୍ତି, ତାଙ୍କ ଅନ୍ତରରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି; ପୁଣି, ଆପଣଙ୍କ ପିତାଙ୍କ ସମୟରେ ଦେବଗଣର ଜ୍ଞାନ ତୁଲ୍ୟ ଜ୍ଞାନଦୀପ୍ତି ଓ ବୁଦ୍ଧି ଓ ଜ୍ଞାନ ତାଙ୍କଠାରେ ଦେଖା ଯାଇଥିଲା; ଆଉ, ଆପଣଙ୍କ ପିତା ରାଜା ନବୂଖଦ୍ନିତ୍ସର, ହଁ, ଆପଣଙ୍କ ପିତା ରାଜା, ତାଙ୍କୁ ମନ୍ତ୍ରବେତ୍ତା, ଗଣକ, କଲ୍ଦୀୟ ଓ ଶୁଭାଶୁଭବାଦୀମାନଙ୍କ ଉପରେ ପ୍ରଧାନ କରି ନିଯୁକ୍ତ କରିଥିଲେ;